ସିନାପାଲି,୧୦-୪(ପରମେଶ୍ୱର ମେହେର ): ନୂଆପଡ଼ା ଜିଲ୍ଲା ସିନାପାଲିବ୍ଲକସ୍ଥିତ ଗୋଡାଳ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ମହିଳାମାନେ ରାଜ ରାସ୍ତାକୁ ଓହ୍ଲାଇ ପ୍ରଶାସନ ବିରୋଧରେ ଗର୍ଜିଛନ୍ତି I ସିନାପାଲି ସଦରକୁ ଲାଗି ରହିଥିବା ଉକ୍ତ ଗ୍ରାମରେ ଗୋଟିଏ ସପ୍ତାହ ହେଲା ଜଳ ଯୋଗାଣ ହେଇ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏହି ଗାଁ ଅବସ୍ଥିତ। ଗାଁରେ ୩ଟି ୱାର୍ଡ ରହିଥିବା ବେଳେ ଏକ ଜନବହୁଳ ଗ୍ରାମ ଅଟେ | ହେଲେ ଏଠାରେ ବିଦ୍ୟୁତ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗର ଅପାରଗତା ଯୋଗୁଁ ବାରମ୍ବାର ଏହି ଗ୍ରାମରେ ଜଳ ଯୋଗାଣ ରେ ବାଧା ସୃଷ୍ଟି ହେଉଛି। ଏପରିକି ଗ୍ରାମର ଅନେକ ନଳକୂପ ଅଚଳ ହୋଇ ପଡ଼ିଥିବା ବେଳେ ପ୍ରକଳ୍ପ ରୁ ଜଳ ଯୋଗାଣ ସ୍ବଭାବିକ ହେଉନାହିଁ।ଜଳ ଟିକିଏ ପାଇବା ପାଇଁ ପାହାନ୍ତିଆରୁ ମହିଳାଙ୍କ ଭିଡ଼ ଦେଖିବାକୁ ମିଳୁଥିବାବେଳେ ଏଥ୍ପ୍ରତି କାହାରି ଦୃଷ୍ଟି ପଡୁନାହିଁ। ଗ୍ରାମବାସୀଙ୍କ କହିବା ଅନୁସାରେ ଯେଉଁ ଠାରେ ପ୍ରକଳ୍ପ ବସିଛି ସେଠାରେ କିଛି ଚାଷୀ ଧାନ ଚାଷ କରିଛନ୍ତି | ସେମାନେ ବଳ ପୂର୍ବକ ଜଳଯୋଗାଣକୁ ବନ୍ଦ କରି ଦେଉଥିବା ଜଳଯୋଗାଣ ଓ ପରିମଳ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି I ତେବେ ଏଠାରେ ପ୍ରଶ୍ନ ଯେ, ବର୍ତ୍ତମାନ ଗ୍ରୀଷ୍ମ ଋତୁରେ ମଣିଷ ବଞ୍ଚିବା ପାଇଁ ଜଳ ର ଆବଶ୍ୟକତା ରହିଥିବା ବେଳେ ଚାଷ ଜମି ରେ ପାଣି ମଡାଇବା କେତେଦୂର ଯୁକ୍ତି ଯୁକ୍ତ ଓ ବିଭାଗୀୟ ଅଧିକାରୀ ଏହାକୁ ସମର୍ଥନ କରି ଜଳଯୋଗାଣ ନ କରିବା ପ୍ରଶାସନ ର ବିଡମ୍ବନା ବୋଲି ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ସମାଧାନ କରା ନ ଗଲେ ବ୍ଲକ କାର୍ଯ୍ୟାଳୟ ନିକଟରେ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

