ପୋଲସରା,୦୭/୦୪:(ସନ୍ତୋଷ କୁମାର ପଣ୍ଡା):ପୋଲସରା କଳମ୍ବ ଗ୍ରାମ ପଞ୍ଚାୟତରେ ଚଳିତ ମାସ ୦୫ ତାରିଖ ରବିବାର ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥି ଦିବସରେ ପଞ୍ଚଦଣ୍ଡ ମିଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ପୋଲସରା ବ୍ଲକର କଳମ୍ବ ବଡନୂଆଗାଁ ଭଗବତପାଣ୍ଠି ବାସିନ୍ଦାଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉକ୍ତ ପଞ୍ଚାୟତର ରୁଖାକଣା, ହାତୀଓଟ ପଞ୍ଚାୟତର ହାତୀଓଟ, ମାଳତେଣ୍ଟୁଳିଆ ପଞ୍ଚାୟତର ମାଳତେଣ୍ଟୁଳିଆ ଏବଂ ପୋଲସରା ରାଣିପଡା ଏବଂ ବୁଗୁଡ଼ା ବ୍ଲକ୍ ଗୋଲିଆ ଗ୍ରାମ ପଞ୍ଚାୟତର ମରେଇପଲ୍ଲୀ ମୋଟ ପାଞ୍ଚ ଗୋଟି ଦଣ୍ଡଦଳ ଅଂଶଗ୍ରହଣ କରିଥିଲେ । ସକାଳେ ଗାଁ ପଞ୍ଚଦଣ୍ଡ ପରିଚାଳନା କମିଟି ପକ୍ଷରୁ ଦଣ୍ଡକାଳୀ ଦଳଙ୍କୁ ଫୁଲଚନ୍ଦନ ଦେଇ ଆବାହନ କରାଯାଇଥିଲା । ସମସ୍ତ ଦଣ୍ଡଦଳ ସେମାନଙ୍କ ବିଶ୍ରାମସ୍ଥଳରେ ନୀତିକାନ୍ତି ସମାପନ କରିବା ପରେ ପୂର୍ବାହ୍ନ ଘ.୧୧ ଟାରୁ ଅପରାହ୍ନ ୩ ଘ. ସମୟ ମଧ୍ୟରେ ପର୍ଯ୍ୟାୟକ୍ରମେ ଧୂଳିଦଣ୍ଡ,ପାଣିଦଣ୍ଡ ଏବଂ ୩ ଘ.ରୁ ୪ ଘ. ସମୟ ମଧ୍ୟରେ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବଡନୂଆଗାଁ ଯାତ୍ରାପଦା ଠାରେ। ପରବର୍ତ୍ତୀ ସମୟରେ ସମସ୍ତ ଦଣ୍ଡଦଳ ରୁଦ୍ରକାଳୀଙ୍କୁ ମସ୍ତକରେ ଧାରଣକରି ଢୋଲ, ମର୍ଦ୍ଦଳ,ଘଣ୍ଟ, କାହାଳୀ ଶବ୍ଦ ତାଳେ ତାଳେ ଅଗ୍ନିଝୁଣା ମାଧ୍ୟମରେ ତାଳେ ତାଳେ ନୃତ୍ୟ କରି ପ୍ରତ୍ୟେକ ସାହି ପରିକ୍ରମା କରିଥିଲେ । ସନ୍ଧ୍ୟା ଆଳତି ଏବଂ ବାଳଭୋଗ ମା’ଙ୍କ ନିକଟରେ କରାଯାଇଥିଲା । ନିୟମ ଅନୁସାରେ ରାତି ୧୨ ଘଣ୍ଟିକା ସମୟରେ ନିର୍ଦ୍ଧିଷ୍ଟ ଢୋଲ ତାଳେ ତାଳେ ମାନସିକଧାରୀ ଦଣ୍ଡୁଆମାନେ ମା’ ଙ୍କ ନିକଟରେ ଅନ୍ନଭୋଗ ଲାଗି କରିବାପରେ ସାମୂହିକ ଭାବେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପ୍ରସାଦ ସେବନ କରିଥିଲେ।ପରେ ଅନ୍ୟ ଦର୍ଶନାର୍ଥୀ ଓ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରି ମା’ ଙ୍କ ଆଶୀର୍ବାଦ ଲାଭ କରିଥିଲେ। ପରବର୍ତ୍ତୀ ରାତ୍ର ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ରୁଖାକଣା ଦଳ ପକ୍ଷରୁ ସାମାଜିକ ନାଟକ “କିଏ କାନ୍ଦି ନାହିଁ ହାତ ଟେକ”, ହାତୀଓଟ ଦଳ ପକ୍ଷରୁ ରାମାୟଣର “ଅଶୋକ ବନରେ ସୀତା”, ମାଳତେଣ୍ଟୁଳିଆ ଦଳ ପକ୍ଷରୁ “ସୁନା ପୁଅ ଲାଗି କାନ୍ଦେ ଅଯୋଧ୍ୟା”,(ବା) “ଅଶୋକ ବନରେ ଦୁଃଖିନୀ ସୀତା” ପୋଲସରା ରାଣୀପଡ଼ା ଦଳ ପକ୍ଷରୁ ” ସୂର୍ଣ୍ଣମୟୀ ଲଙ୍କା ବିଜୟୀ ରାଘବ” ନାଟକ ମଞ୍ଚସ୍ଥ କରାଯାଇଥିଲା ।ଏହି ମାତେଶ୍ୱରି ମହାଶକ୍ତିମୟୀ ମହାଦଣ୍ଡକାଳୀଙ୍କ ମହାମିଳନ ଉତ୍ସବରେ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ମତ୍ସ୍ୟ,ପଶୁସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ସମାଜସେବୀ ପ୍ରଭାକର ପଣ୍ଡା ଓ ଜଗନ୍ନାଥ ବାଢେଇ ନିରଞ୍ଜନ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଦୀପକ କୁମାର ପ୍ରଧାନ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ,ପୋଲସରା ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ମା’ ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସମଗ୍ର କଳମ୍ବ ଗ୍ରାମବାସୀଙ୍କ ସମେତ ପଞ୍ଚଦଣ୍ଡ ପରିଚାଳନା କମିଟି ସହଯୋଗରେ ଶାନ୍ତି ଓ ଶୃଙ୍ଖଳାରେ ସମାପନ ହୋଇଥିବାରୁ ଆୟୋଜନ ଉକ୍ତ ଭଗବତପାଣ୍ଠି, କଳମ୍ବ ବାସିନ୍ଦାଙ୍କ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ସହିତ କୃତଜ୍ଞତା ଜ୍ଞାପନ କରାଯାଇଛି । କୌଣସି ପ୍ରକାରେ ବିଶୃଙ୍ଖଳାକୁ ଦୃଷ୍ଟି ସମ୍ମୁଖରେ ରଖି ପୋଲସରାଥାନା ପକ୍ଷରୁ ଫୋର୍ସ୍ ମୁତୟନ କରାଯାଇଥିଲା। ଏଥିସହ ଆପାତକାଳୀନ ସ୍ୱାସ୍ଥ୍ୟସେବାକେନ୍ଦ୍ର ସମସ୍ତ ଯାତ୍ରା ପରିଚାଳନା ପାଇଁ କମିଟି ପକ୍ଷରୁ ସୂଚନା କେନ୍ଦ୍ର ଖୋଲାଯାଇଥିଲା। ଏହି ମହାନ ପରମ୍ପରା ସମସ୍ତ ଶାକ୍ତ, ଶୈବ,ନିଷ୍ଠା,ତ୍ୟାଗ ଓ ସହିଷ୍ଣତାର ମହାମିଳନକୁ ଦେଖିବାକୁ କଳମ୍ବ ସମେତ ପୋଲସରା,ବୁଗୁଡ଼ା, କବିସୂର୍ଯ୍ୟନଗର ଅଞ୍ଚଳର ପ୍ରାୟ ପନ୍ଦର ହଜାର ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତିରେ ସମଗ୍ର କଳମ୍ବ ଗ୍ରାମ ଲୌକାରଣ୍ୟ ପାଲଟିବା ସହ ହୁଲୁକିଥିବାର ଦେଖିବାକୁ ମିଳିଥିଲା।

