ତୁମୁଡିବନ୍ଧ,୨୩।୯(ବାଳକୃଷ୍ଣ ଚର୍ଚ୍ଚି):ମ୍ୟାଲେରିଆ ରୋଗର ପ୍ରତିରୋଧ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ତୁମୁଡ଼ିବନ୍ଧସ୍ଥିତ ନେତାଜୀ ସୁବାସ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମ୍ୟାଲେରିଆ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ମଧୁସ୍ମିତା ପ୍ରିୟଦର୍ଶିନୀ ଓ ସ୍ୱାସ୍ଥ୍ୟକର୍ମୀ ପମିତା ନାୟକଙ୍କ ତତ୍ତ୍ୱାବଧାନରେ ଶିବିରରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା। ଏଥିସହ ମ୍ୟାଲେରିଆର ଲକ୍ଷଣ, ମଶା କାମୁଡ଼ାରୁ ସୁରକ୍ଷା, ଘର ଓ ବିଦ୍ୟାଳୟ ପରିସରରେ ପାଣି ଜମିବାକୁ ନଦେବା ଏବଂ ଜ୍ୱର ହେଲେ ଶୀଘ୍ର ପରୀକ୍ଷା କରାଇବା ନେଇ ସଚେତନ କରାଯାଇଥିଲା।ଛାତ୍ରଛାତ୍ରୀଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଦ୍ୱାରା ରୋଗର ପ୍ରାଥମିକ ଲକ୍ଷଣ ଚିହ୍ନଟ କରିବା ସହ ଆବଶ୍ୟକ ସମୟରେ ଚିକିତ୍ସା ନେବାର ସୁଯୋଗ ମିଳିଥାଏ। ଏଭଳି ଶିବିର ଛାତ୍ରଛାତ୍ରୀଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ କରିବାରେ ସହାୟକ ହୋଇଥାଏ।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁନୀଲ କୁମାର ପାତ୍ର କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ସୁସ୍ଥତା ପାଇଁ ଆଗାମୀ ଦିନରେ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ।ଶିବିରକୁ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ। ମ୍ୟାଲେରିଆ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଥିଲା।

