ବେଗୁନିଆପଡ଼ା,୨୩।୯(ବାପୁନି ମାଲୁ):ପ୍ରତିବର୍ଷ ସେପ୍ଟେମ୍ବର ୨୩ ତାରିଖକୁ ସାରା ଭାରତରେ ଜାତୀୟ ଆୟୁର୍ବେଦ ଦିବସ (National Ayurveda Day) ଭାବେ ପାଳନ କରାଯାଏ। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଏହି ଦିବସ ପାଳନର ଶୁଭାରମ୍ଭ ୨୦୧୬ ମସିହାରୁ କରାଯାଇଥିଲା। ପୂର୍ବରୁ ଏହା ଧନ୍ବନ୍ତରୀ ଜୟନ୍ତୀ (ଧନତେରାସ) ତିଥି ଅନୁସାରେ ପାଳନ କରାଯାଉଥିଲା, କିନ୍ତୁ ବିଶ୍ୱସ୍ତରରେ ଏହାର ସମାନତା ରଖିବା ପାଇଁ ୨୦୨୫ ମସିହାରେ ସରକାରୀ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରତିବର୍ଷ ସେପ୍ଟେମ୍ବର ୨୩ କୁ ଏକ ନିର୍ଦ୍ଦିଷ୍ଟ ତାରିଖ ଭାବେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ତାଳସର ଗ୍ରାମ ସ୍ଥିତ ସରକାରୀ ଆୟୁର୍ବେଦ ମେଡ଼ିକାଲରେ ଆଜି ୧୧ ତମ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନର ମୂଖ୍ୟ ଲକ୍ଷ୍ୟ ହେଉଛି ପ୍ରାଚୀନ ଭାରତୀୟ ଚିକିତ୍ସା ପଦ୍ଧତି ‘ଆୟୁର୍ବେଦ’ର ପ୍ରଚାର ପ୍ରସାର କରିବା, ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପ୍ରାକୃତିକ ଜୀବନଶୈଳୀ ଆପଣାଇବାକୁ ପ୍ରେରିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ ବୋଲି ଡାକ୍ତର ଅମିୟପ୍ରଭା ସୁବୁଦ୍ଧି ନିଜ ବକ୍ତଵ୍ୟରେ କହିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ, ମାଗଣା ସ୍ୱାସ୍ଥ୍ୟ ଶିବିର, ମାଗଣା ଔଷଧ ବଣ୍ଟନ, ସୁଗାର ପରୀକ୍ଷା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡାକ୍ତର ଅମିୟପ୍ରଭା ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଭବାନୀ ପ୍ରସାଦ ଜେନା (ବୁଲା), ଦାମଦୋର ନାୟକ, ପାଣୁ ସାହୁ, ଦଣ୍ଡପାଣି ମହାରଣା, ରମେଶ ବିଷୋୟୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ଆୟୁର୍ବେଦ ସହାୟିକା ସୁଭଦା ପ୍ରିୟଦର୍ଶିନୀ ,ସାଗରିକା ମହାପାତ୍ର, ସନାତନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

