ପୁରୁଷୋତ୍ତମପୁର,୨୩।୯(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ଖସିଛି ବଡ଼ ବଡ଼ ପଥର ଓ ମାଟି। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଖସିଥିବା ଜଣାପଡ଼ିଛି। ତେବେ ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।ବର୍ଷା ଲାଗି ରହିଥିବା ବେଳେ ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ହଠାତ୍ ପଥର ଓ ମାଟି ଖସିଥିଲା। ପାହାଡ଼ରୁ ଖସିଥିବା ପଥର ଓ ମାଟି ରାସ୍ତା ନିକଟରେ ଜମା ହୋଇଛି।ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ତହସିଲଦାର ତଥା ତାରାତାରିଣୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ବେହେରା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ପାହାଡ଼ରୁ ଖସିଥିବା ପଥର ଓ ମାଟିକୁ ଶୀଘ୍ର ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ଷା ଜାରି ରହିଥିବାରୁ ପାହାଡ଼ ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।

