ଭଞ୍ଜନଗର,୦୮/୪:(ନିଲୁ ବିଷୋୟୀ):ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଠାକୁରାଣୀ ଯାତ୍ରାର ଦ୍ଵିତୀୟ ପ୍ରଶାସନିକ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ନରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି, ସିଡ଼ିଓ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସମୀର କୁମାର ଜେନା, ଉପଜିଲ୍ଲାପାଳ ଉମା ଶଙ୍କର ବେହେରା,ମୁନସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ସମେତ ଅନ୍ୟ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଯାତ୍ରା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ଯାତ୍ରାର ସମସ୍ତ ପ୍ରସ୍ତୁତିକାର୍ଯ୍ୟ, ନିରାପତ୍ତା ବ୍ୟବସ୍ଥା, ସ୍ବାସ୍ଥ୍ୟ, ଅଗ୍ନି ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା, ସାମ୍ବଳିକ ବିବରଣୀ, ସୂଚନା କେନ୍ଦ୍ର ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା ହୋଇଥିଲା। ପୂର୍ବ ପ୍ରସ୍ତୁତି ବୈଠକର ମଧ୍ୟ ବିସ୍ତୃତ ସମୀକ୍ଷା ହୋଇଛି। ବିଧାୟକ ଶ୍ରୀନାୟକ ଏବଂ ଜିଲ୍ଲାପାଳ ସମସ୍ତଙ୍କୁ ଯାତ୍ରାକୁ ଆହୁରି ଫଳପ୍ରଦ,ସରସ ସୁନ୍ଦର,ଆକର୍ଷଣୀୟ ଓ ନିରାପଦ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଐତିହାସିକ ଯାତ୍ରାରେ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯାତ୍ରାରେ ଯୋଗଦାନ କରିବେ। ଯାତ୍ରାକୁ ଅଧିକ ସରସ, ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ବିଧାୟକ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଯାତ୍ରା ଭଞ୍ଜନଗର ଅଞ୍ଚଳର ଜନସାଧାରଣଙ୍କ ପାଇଁ ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ ଭାବେ ପରିଚିତ ତେଣୁ ଭକ୍ତମାନଙ୍କର ସୁରକ୍ଷା ସୁନିଶ୍ଚିତ ଉପରେ ଗୁରୁତ୍ୱାରୋପ ଦିଆଯାଇଛି। ଶେଷରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା ଧନ୍ୟବାଦ୍ ଅର୍ପଣ କରିଥିଲେ।

