ଭଞ୍ଜନଗର,୧୩।୭(ନିଲୁ ବିଷୋୟୀ):ଭଞ୍ଜନଗର ଉପଖଣ୍ଡ ଅଧୀନ ବିଭିନ୍ନ ସ୍ଥାନରେ ଚିଠା ଭୋଟର୍ ତାଲିକା ପରବର୍ତ୍ତୀ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବ୍ଲକ୍ ସମ୍ମିଳନୀକକ୍ଷରେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆପତ୍ତି ଓ ଅଭିଯୋଗ ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୨ ସୁଦ୍ଧା ସମସ୍ତ ଆପତ୍ତି ଓ ଦାବିର ଫଇସଲା ହେବ। ଶ୍ରୀ ବେହେରା କହିଛନ୍ତି, ସ୍ୱଚ୍ଛ, ନିର୍ଭୁଲ ଓ ବିଶ୍ୱସନୀୟ ଭୋଟର୍ ତାଲିକା ପ୍ରସ୍ତୁତିରେ ବିଏଲ୍ଓଙ୍କ ଭୂମିକା ଦାୟିତ୍ୱପୂର୍ଣ୍ଣ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ସେହିପରି ଜଗନ୍ନାଥପ୍ରସାଦ ବ୍ଲକ୍ ଓ ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ ବୁଥ୍ ନମ୍ବର ୧ରୁ ୬୫ ପର୍ଯ୍ୟନ୍ତ ବିଏଲଓ ଓ ସୁପରଭାଇଜରଙ୍କ ପ୍ରଶିକ୍ଷଣ ଅତିରିକ୍ତ ଉପଜିଲ୍ଲାପାଳ ତଥା ଇଆର୍ଓ ପ୍ରଧାନ ଟୁଲିଆମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବେଲଗୁଣ୍ଠା ବ୍ଲକରେ ମଧ୍ୟ ସମାନ ଢଙ୍ଗରେ ଚିଠା ଭୋଟର୍ ତାଲିକା ପରବର୍ତ୍ତୀ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସୂଚନା ମିଳିଛି।

