ଭଞ୍ଜନଗର,୧୫।୭(ନିଲୁ ବିଷୋୟୀ):ରାତି ପାହିଲେ ବିଶ୍ୱ ନିୟନ୍ତା ମହାପ୍ରଭୂ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥାଯାତ୍ରା। ଚର୍ତୁର୍ଦ୍ଧା ମୂରତୀଙ୍କ ନବ ଯୌବନ ବେଶରେ ଦର୍ଶନ ଦେଇଛନ୍ତି।ସ୍ନାନଯାତ୍ରା ପର ଠାରୁ ଅଣସରରେ ରହି ଦଶମୂଳ ମୋଦକ ସେବନ କରି ସୁସ୍ଥ ହେବାପରେ ନିଜ ମନ୍ଦିରକୁ ଆସିଛନ୍ତି। କୁଲାଡ଼ ଜଗନ୍ନାଥ ମନ୍ଦିରରେ ମଧ୍ୟ ଗୋଟିଏ ରଥରେ ଠାକୁର ବିଜେ କରି ନବଦିନାତ୍ମକ ଯାତ୍ରା କରିବେ। ଭଞ୍ଜ ରାଜବଂଶର ଦାୟଦ ଭାବେ ପ୍ରଶାନ୍ତ କୁମାର ଭଞ୍ଜଦେଓ ରଥରେ ଛେରା ପହଁରା କରିଥାନ୍ତି। ଏଥିରେ ସହସ୍ରାଧିକ ଶ୍ରଦ୍ଧାଳୁ ସମାଗମ ହେଉଥିବାରୁ ତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି ହାତକୁ ନିଆଯାଇଛି। ରଥ ନିର୍ମାଣ ଓ ରଙ୍ଗ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଆଜି ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ନାୟକ ରଥର ସ୍ଥିତି ଅନୁଧ୍ୟାନ କରି ସରୁକ୍ଷା ପ୍ରମାଣ ପତ୍ର ଜାରି କରିଛନ୍ତି। ଅତିରିକ୍ତ ତହସିଲଦାର ଅବିନାଶ ମାହାର ଯାତ୍ରା ସମୟରେ ଶୃଙ୍ଖଳିତ ଭାବେ ସମ୍ପାଦନା ପାଇଁ ପୁଲିସ ଉପସ୍ଥିତିରେ କିଛି ସ୍ଥାନରୁ ଜବରଦଖଲ ଉଚ୍ଛେଦ କରିଥିଲେ। ଏଥିସହ ନେତ୍ରୋତ୍ସବ ଏବଂ ନବ ଯୌବନ ଉତ୍ସବ ଉପରେ ସେବାୟତଙ୍କ ସହ ଶ୍ରୀ ମାହାର ଆଲୋଚନା କରିଥିଲେ। ଠାକୁରଙ୍କ ସମସ୍ତ ପୂଜା ନୀତି ଠିକ ସମୟରେ ସମାପନ ହେବ ବୋଲି ପୁରୋହିତ ପୁରୁଷତ୍ତମ ମିଶ୍ର କହିଛନ୍ତି। ଅନ୍ୟପକ୍ଷେ, ରଥଯାତ୍ରାରେ ସାମିଲ ହେବା ପାଇଁ ଦେବତ୍ତର ବିଭାଗ ତଥା ଭଞ୍ଜନଗର ତହସିଲଦାରଙ୍କ ପକ୍ଷରୁ ରାଜଗୁରୁ ଶ୍ରୀ ଶ୍ରୀ ଦେବ ନଥାନ୍ ଆୟଙ୍ଗାରଙ୍କୁ ଭବ୍ୟ ନିମନ୍ତ୍ରଣ କରାଯାଇଛି। ପ୍ରକାଶ ଥାଉକି, ଭଞ୍ଜ ରାଜବଂଶୀୟ ରାଜା ମାନଙ୍କ ରାଜ ଗୁରୁ ବା ଦୀକ୍ଷା ଗୁରୁ ଭାବେ ବକୁଳ ଭୂଷଣ ଆଚରିଆରଙ୍କ ବଂଶଜ ଆୟଙ୍ଗାର ପରିବାରକୁ ମନ୍ଦିର ସମୂହ ପରିଚାଳନା କମିଟି ପକ୍ଷରୁ ନିମନ୍ତ୍ରିତ କରାଯାଇଥାଏ। ନାରାୟପାଟଣା ସ୍ଥିତ ରଘୁନାଥ ମଠ ଠାରେ ରାଜ ଗୁରୁଙ୍କ ଆଶ୍ରମ ରହିଛି। ମଠରୁ ଗୁରୁଙ୍କୁ ଭବ୍ୟ ସ୍ୱାଗତ କରି ଶବାରୀରେ ଦେବ କାର୍ଯ୍ୟକୁ ନିଆଯାଏ ବୋଲି ପୂଜକ ଜଟେଶ୍ୱର ପରିଛା କହିଛନ୍ତି।

