ଭଞ୍ଜନଗର,୬।୧୦(ନିଲୁ ବିଷୋୟୀ):ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ପକ୍ଷରୁ ଆସନ୍ତା ୮ ତାରିଖ ବନ୍ଦ ସଫଳ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ବ୍ଳକ ଓ ସହରାଞ୍ଚଳ ନେତୃତ୍ବଙ୍କୁ ନେଇ ବୈଠକ ସରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ସଭାପତି ବି.ଦଣ୍ଡପାଣି ପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଏମ୍ଏମ୍ ଡିଆର ସଂଶୋଧନ ଆଇନ୍,ଭୋଟର ତାଲିକାର ଏସ୍ଆଇଆର ଏବଂ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବିରୋଧରେ ଆସନ୍ତା ଅକ୍ଟୋବର ୮ ତାରିଖ ‘ଓଡ଼ିଶା ବନ୍ଦ’କୁ ସଫଳ କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଆହ୍ୱାନ କରାଯାଇଛି। ଲୋକଙ୍କ ସ୍ବାର୍ଥପାଇଁ ଏହି ଆନ୍ଦୋଳନ ହେଉଥିବା ବେଳେ ସମସ୍ତେ ଏଥିରେ ସାମିଲ ହୋଇ ସହଯୋଗ କରିବାକୁ ସେ କହିଥିଲେ। ଦେଶର ମୂଲ୍ୟବାନ ଖଣିଜ ସମ୍ପଦ ଓ ଜଙ୍ଗଲ ଜମିକୁ କର୍ପୋରେଟ୍ ସ୍ୱାର୍ଥରେ ବ୍ୟବହାର କରିବାର ରାସ୍ତା ପ୍ରଶସ୍ତ କରାଯାଉଛି। ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍କୁ ତ୍ୱରାନ୍ୱିତ କରିବ ବୋଲି ଦଳ ଅଭିଯୋଗ କରିଛିl ଅନ୍ୟପକ୍ଷରେ, ଏସ୍ଆଇଆର୍ ନାମରେ ବହୁ ବୈଧ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିବାର ଆଶଙ୍କା ଅଛି ଯାହାକି ଗଣତାନ୍ତ୍ରିକ ଅଧିକାର ପ୍ରତି ବିପଦ।ଜଳ,ଜଙ୍ଗଲ,ଜମିର ସୁରକ୍ଷା,ଖଣିଜ ସମ୍ପଦର ଲୁଟ୍ ବନ୍ଦ, ଆଦିବାସୀ ଓ କୃଷକଙ୍କ ଅଧିକାର ସୁରକ୍ଷା ଏବଂ ନାଗରିକଙ୍କ ମତାଧିକାର ରକ୍ଷା ପାଇଁ ‘ଓଡ଼ିଶା ବନ୍ଦ’କୁ ସଫଳ କରିବା ପାଇଁ ଜିଲ୍ଲା କଂଗ୍ରେସ ତରଫରୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଏଥିସହ ଜିଲ୍ଲା ପଶ୍ଚିମ ସଭାପତି ଶ୍ରୀ ପାତ୍ର ସୂଚନା ଦେଇଥିଲେ ଯେ,ଦଳୀୟ ବିଶୃଙ୍ଖଳା ଯୋଗୁଁ କଂଗ୍ରେସ ଦଳରୁ ଚାରି ଜଣ କର୍ମୀଙ୍କୁ ନିଲମ୍ବିତ କରି ଶୃଙ୍ଖଳା କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେ ସୂଚନା ଦେଇଥିଲେ। ଏଥିରେ ଉପସଭାପତି ବାବୁଲି ବିନ୍ଧାଣିରା,ଜୟନ୍ତୀ ମହାନନ୍ଦିଆ,ନଗର ସଭାପତି ପ୍ରମୋଦ ଭୂୟାଁ,ଜିଲ୍ଲା ପଛୁଆ ବର୍ଗ ସଭାପତି ଉମା ଶଙ୍କର ଲେଙ୍କା,ଜିଲ୍ଲା ସମ୍ପାଦକ ପ୍ରସନ୍ନ ବିଶ୍ୱାଳ, ବୁଗୁଡ଼ା ବ୍ଳକ ସଭାପତି ଜାନକୀ ରାଉତ,ଏ ରମେଶ,ତୋଫାନ ଜେନା,ରବୀନ୍ଦ୍ର ସାହୁ,ବୀରେନ୍ଦ୍ର କୁମାର ଗୌଡ ପ୍ରମୁଖ ଉପସ୍ଥିତ ଥିଲେ।

