ଭଞ୍ଜନଗର,୧୬।୭(ନିଲୁ ବିଷୋୟୀ):ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରା ନିମନ୍ତେ ପୁରପଲ୍ଲୀ ଉତ୍ସବ ମୁଖର ହୋଇ ଉଠିଥିଲା। ପାଗ ପ୍ରତିକୂଳ ସତ୍ତ୍ବେ ବିଭିନ୍ନ ସ୍ଥାନରେ ପ୍ରବଳ ଭିଡ ସମାଗମ ହୋଇଛି। ପୂର୍ବାହ୍ନ ସମୟରେ ବର୍ଷା ହୋଇଥିବା ବେଳେ ଅପରାହ୍ନରେ ପାଗ ସ୍ବାଭାବିକ ହେବା ପରେ ଚଳିତ ବର୍ଷ ବେଶ ଉତ୍ସାହର ସହ ଏହି ଯାତ୍ରା ଅନୁଷ୍ଠିତ ହୋଇଛି। ଶତାଧିକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରଥଯାତ୍ରା ହୋଇ ଆସୁଥିବା ଭଞ୍ଜ ରାଜବଂଶ ଦ୍ବାରା ପ୍ରତିଷ୍ଠିତ କୁଲାଡ ଜଗନ୍ନାଥ ମନ୍ଦିର ଠାରେ ମଧ୍ୟ ଚଳିତ ବର୍ଷ ରଥଯାତ୍ରା ବହୁ ଆଡମ୍ବର ସହକାରେ ପାଳନ ହୋଇଛି। ଭୋର ସମୟରୁ ହିଁ ମନ୍ଦିର ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିଲା। ପୂଜକ,ପ୍ରଶାସନିକ କର୍ମଚାରୀ ପୁଲିସ୍ ତଥା ଭଞ୍ଜ ବଂଶ ଦାୟଦ ପ୍ରଶାନ୍ତ ଭଞ୍ଜଦେଓ ଓ ରାଜଗୁରୁ ଶ୍ରୀ ଶ୍ରୀ ଦେବନାଥନ୍ ଆୟାଙ୍ଗାରଙ୍କ ଉପସ୍ଥିତିରେ ରୀତିନୀତି ସମ୍ପନ୍ନ ହୋଇଥିଲା। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ତହସିଲଦାର ଅଭିପ୍ସା ପଟ୍ଟନାୟକ,ଡେପୁଟି ସବ୍କଲେକ୍ଟର ପ୍ରଧାନ ଟୁଲିଆମ୍ମା, ଅତିରିକ୍ତ ତହସିଲଦାର ଅବିନାଶ ମାହାର,ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ, ଏସ୍ଡିପିଓ ଡ଼.ଦୀପକ କୁମାର ମିଶ୍ର,କମିଟି ସଭାପତି ବ୍ରହ୍ମାନନ୍ଦ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ। ଗତକାଲି ନବ ଯୌବନ ଦର୍ଶନ ହେବା ପରେ ଆଜି ଗୁଣ୍ଡିଚା ଯାତ୍ରା କୁଲାଡରେ ପାରମ୍ପରିକ ରୀତିନୀତି ଅନୁସାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ପରେ ରଥଟଣା ନୀତି ଆରମ୍ଭ ହୋଇଥିଲା। କୁଲାଡ ବଡଦାଣ୍ଡ ଏକ ପ୍ରକାର ଜନସମୁଦ୍ର ପାଲଟିଥିଲା। ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିବା ବେଳେ ବିଳମ୍ବରେ ସନ୍ଧ୍ୟାରେ ରଥଟଣା ଆରମ୍ଭ ହୋଇଥିବା ବେଳେ ବହୁ ସ୍ବେଚ୍ଛାସେବୀ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ବରେ ପୁଲିସ୍ କର୍ମଚାରୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବିଧାୟକ ଶ୍ରୀ ନାୟକ ସମ୍ବର୍ଦ୍ଧିତ କରିବା ପରେ ସନ୍ଧ୍ୟା ୬ ଟାରେ ରଥ ଟଣା ଆରମ୍ଭ ହୋଇଥିଲା। କିଛି ବାଟ ଯିବା ପରେ ରଥ ଡାହାଣ ଆଡକୁ ମୁହାଁ କଡକୁ ଲାଗିଥିବାରୁ ରଥ ଟଣା ବିଳମ୍ବ ହୋଇଥିଲା। ଖବର ଲେଖାଯିବା ସୁଦ୍ଧା ରଥ ମାଉସୀ ମାଆ ମନ୍ଦିରରେ ପହଞ୍ଚି ନଥିବା ଜଣାପଡିଛି। ସେହିପରି ଭଞ୍ଜନଗର,ବଡକୋଦଣ୍ଡା,ଗାଲେରୀ,ଡୁମାକୁମ୍ପା,ବିଞ୍ଜିଗିରୀ,ଲେମ୍ଭାଇ ଠାରେ ମଧ୍ୟ ଚଳିତ ବର୍ଷ ରଥଯାତ୍ରା ଧୂମଧାମରେ ପାଳିତ ହୋଇଥିବା ଜଣାପଡିଛି।

