ରାୟଗଡ଼ା,୦୬/୦୪/(ଅମୂଲ୍ୟ ନିଶଙ୍କ):ରାୟଗଡ଼ା ଜିଲ୍ଲା ସଂସ୍କୃତି ବିଭାଗର ପତ୍ର ସଂଖ୍ୟା ୯୪୯ ତା ୩୦.୦୩.୨୦୨୬ ଅନୁସାରେ, ସମଗ୍ର ଜିଲ୍ଲାରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ବହୁ ଆଡ଼ମ୍ବରରେ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ ପୌରପରିଷଦ ପକ୍ଷରୁ ସ୍ଥାନୀୟ ପ୍ରେମ୍ ପାହାଡ଼ ପର୍ଯ୍ୟଟନ ସ୍ଥଳୀଠାରେ ଏକ ବୃହତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରାୟଗଡ଼ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ ଏବଂ ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା କାର୍ଯ୍ୟର ନେତୃତ୍ୱ ନେବା ସହ ସହରବାସୀଙ୍କୁ ପରିବେଶ ସୁରକ୍ଷା ଓ ଓଡ଼ିଆ ଅସ୍ମିତାର ବାର୍ତ୍ତା ଦେଇଥିଲେ। ଏହି ଅଭିଯାନରେ ପୌର ପରିଷଦର ସମସ୍ତ ୱାର୍ଡ କାଉନସିଲର, ଜିଲ୍ଲା ସ୍ତରୀୟ ପଦାଧିକାରୀ, ପୌର କର୍ମଚାରୀ, ସ୍ୱଚ୍ଛ ସାଥୀ, ସୁପରଭାଇଜର ଏବଂ ସଫେଇ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗ ଦେଇଥିଲେ। ସହରର ବରିଷ୍ଠ ନାଗରିକ, ୱାକର୍ସ କ୍ଲବର ସଦସ୍ୟ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଶ୍ରମଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। “ଓଡ଼ିଆ ପକ୍ଷ” ପାଳନ ଅବସରରେ ଆମର ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଉଦେଶ୍ୟରେ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗରୁ ଯୋଗଦେଇଥିବା ନାଗରିକ ତଥା ସଫେଇକର୍ମୀ ମାନଙ୍କୁ ପୌରାଧକ୍ଷ ଶ୍ରୀ ପଟନାୟକ ସାଧୁବାଦ ଜଣାଇଥିଲେ । ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର ଉପସ୍ଥିତ ଜନସାଧାରଣଙ୍କୁ ପ୍ରେମ ପାହାଡ଼ ଭଳି ଏକ ପ୍ରାକୃତିକ ସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ଏବଂ ପରିଷ୍କାର ରଖିବା ପାଇଁ ଅନୁରୋଧ କରିଥିଲେ । ସମସ୍ତଙ୍କ ମିଳିତ ସହଯୋଗରେ ଏହି ସ୍ୱଚ୍ଛତା ଅଭିଯାନ ଏକ ବଡ଼ ସଫଳତା ଭାବେ ପରିଗଣିତ ହୋଇଛି।

