ରାୟଗଡ଼,୨୯/୫,(ଅମୂଲ୍ୟ ନିଶଙ୍କ): ରାୟଗଡ଼ ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଶ୍ରୀ ଦାସ କହିଥିଲେ ଯେ ଅଭିଭକ୍ତ କୋରାପୁଟ ଜିଲ୍ଲା ହେଉଛି କଂଗ୍ରେସର ଗଡ଼। ଏଠାରେ କଂଗ୍ରେସ ସାଂସଦ ଭାବେ ଦୁଇ ଦୁଇଥର ଏବଂ ଗତ ସାଧାରଣ ନିର୍ବାଚନରେ ବିଧାୟକମାନେ ବହୁମାତ୍ରା ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହି ଗଡ଼କୁ ହାତେଇବା ପାଇଁ ବିଜେପି ସରକାର ବାରମ୍ବାର ଏଠାକୁ ଆସି ବିଭିନ୍ନ ପ୍ରତିଶ୍ରୁତି ଦେଇ ଏଠାକାର ଲୋକଙ୍କୁ ଭୁଆଁ ବୁଲାଇ ନିଜ ଆଡ଼କୁ ନେବାପାଇଁ ଚେଷ୍ଟା କରୁଛି ଯାହା ହେବାକୁ ଦିଆଯିବ ନାହିଁ। ଲୋକଙ୍କୁ ଆଗରୁ ଯେଉଁ ସରକାରୀ ସୁବିଧା ମିଳୁଥିଲା ତାହା ବିଜେପି ସରକାର ବନ୍ଦ କରିଦେଇଛି । ମାତ୍ର ୨ ବର୍ଷରେ ସରକାର ଗରିବ ଆଦିବାସୀଙ୍କ ପାଣି, ପବନ, ଜମି ଓ ଜଙ୍ଗଲ ବିଭିନ୍ନ କମ୍ପାନୀଙ୍କୁ ଟେକିଦେବା ପାଇଁ ପ୍ରୟାସ ଆରମ୍ଭ କରିଛି। ତେଣୁ କଂଗ୍ରେସ୍ କର୍ମୀ ଗାଁ ମୁହାଁ ହୋଇ ଘର ଘର ବୁଲି ସରକାର ବିରୋଧରେ ଲୋକଙ୍କୁ ବୁଝାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଏକ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଳକ୍ କମିଟି, ପଞ୍ଚାୟତ କମିଟି ଓ ବୁଥ୍ କମିଟି ଗଠନ କାମ ସାରି ଦେବାକୁ କର୍ମୀଙ୍କୁ କହିଥିଲେ।ଶ୍ରୀ ଦାସ ଆହୁରି କହିଥିଲେ ଯେ ଏହି ସବୁ କମିଟି ଗଠନ ପରେ ପ୍ରତିଦିନ ପ୍ରତ୍ୟେକ ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ଏବଂ ବିଭିନ୍ନ ବ୍ଲକ୍ରେ ମଧ୍ୟ ପ୍ରତିଦିନ ପଦଯାତ୍ରା ଅନୁଷ୍ଠିତ ହେବ। ଏହିସବୁରେ ମୁଁ ନିଜେ ଉପସ୍ଥିତ ରହି କର୍ମୀଙ୍କୁ ଉତ୍ସାହିତ କରିବି। ଜିଲ୍ଲାର କଂଗ୍ରେସ କର୍ମୀଙ୍କ ଉପରେ ମୋର ବିଶ୍ଵାସ ରହିଛି ।ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ପୌରପରିଷଦ ନିର୍ବାଚନ ଓ ୨୦୨୯ର ସାଧାରଣ ନିର୍ବାଚନରେ କଂଗ୍ରେସ ବହୁ ମାତ୍ରାରେ ଭୋଟ୍ ପାଇ ଜୟଯୁକ୍ତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ସମ୍ମାନିତ ଅତିଥିଭାବେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକା ଯୋଗଦେଇ ଦିନକୁଦିନ ଅବିଭକ୍ତ କୋରାପୁଟ କଂଗ୍ରେସ ସୁଦୃଢ଼ ହେବାରେ ଲାଗିଛି ବୋଲି କହିଥିଲେ। ଯେଉଁ ଦଳ ଯେତେ ଜୋର୍ ଲଗାଇଲେ ବି ଜିଲ୍ଲା କଂଗ୍ରେସ୍ ହାତରୁ ଜମାରୁ ଯିବନି। ଏଠାକୁ ଆସୁଥିବା ସମସ୍ତ କାମକୁ ବିଜେପି ଆମର କହି ନିଜ କର୍ମୀଙ୍କୁ କାମ ଦେବାକୁ କହୁଥିବା ମୋ ପାଖରେ ଅଭିଯୋଗ ଆସିଛି। ତେଣୁ ମୁଁ ଜିଲ୍ଲାପାଳ, ବିଡିଓ ଓ ସମସ୍ତ ଅଧିକାରୀଙ୍କୁ ଚେତାବନୀ ଦେଉଛି ଯଦି କୌଣସି ପ୍ରଶାସନିକ ଅଧିକାରୀ ଏଭଳି କାମରେ ଜଡ଼ିତ ରୁହନ୍ତି ତା’ହେଲେ ଏହାର ଉଚିତ୍ ଜବାବ ଦିଆଯିବ। ଏଥିରେ ହସ୍ତକ୍ଷେପ କରି ମୋ କଂଗ୍ରେସ କର୍ମୀ ଯଦି ଜେଲ୍ ଯାଆନ୍ତି ତା’ହେଲେ ଆମେ କ’ଣ କରିବା ଉଚିତ୍ ତାହା କରିବୁ ବୋଲି ଶ୍ରୀ ଉଲ୍ଲକା କହିଥିଲେ। ସମସ୍ତ କଂଗ୍ରେସ କର୍ମୀ ଏକ ହୋଇ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ତ ସୁଖଦୁଃଖରେ ସାମିଲ୍ ହେବାକୁ ଜିଲ୍ଲାର କଂଗ୍ରେସ କର୍ମୀଙ୍କୁ ଶ୍ରୀ ଉଲ୍ଲକା ଗୁରୁମନ୍ତ୍ର ଦେଇଥିଲେ। ଏହି କର୍ମୀ ସମ୍ମିଳନୀରେ ସମସ୍ତ ଜିଲ୍ଲା ସଭାପତିଙ୍କ ସହିତ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ପୂର୍ବତନ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ତଥା ପିସିସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ରାୟଗଡ଼ା ବିଧାୟକ କାଡ୍ରାକା ଆପଲସ୍ଵାମୀ, ବିଷମକଟକ ବିଧାୟକ ନୀଳମାଧବ ହିକକା ଓ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗଙ୍କସହିତ ଅନ୍ୟମାନେ ମଞ୍ଚାସୀନ ଥିଲେ।

