ବୁଗୁଡା,୨୮।୭(ଡ.କୁମୁଦ ଚନ୍ଦ୍ର ବେହେରା):ଗତ ଜୁଲାଇ ୧୦ ତାରିଖ ଦିନ ବାଘୁଆ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଖରିଫ ଫସଲ ଜଳସେଚନ ପରିଚାଳନା ନିମନ୍ତେ ଅନୁଷ୍ଠିତ ସାଧାରଣ ଅଧିବେଶନର ନିର୍ଦ୍ଧାରିତ ପ୍ରକାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଶ୍ଵ ଜୀବନ ମହାପାତ୍ର , ସହକାରୀ ଯନ୍ତ୍ରୀ ଇଂ ପୂର୍ଣ୍ଣ ଚନ୍ଦ୍ର ପୁରୋହିତ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ବାଘୁଆ ଜଳଭଣ୍ଡାରରୁ ଉଭୟ ବାମ ଓ ଡାହାଣ କେନାଲ ଦେଇ ଖରିଫ ଫସଲ ଚାଷ ପାଇଁ ଜଳ ଛଡାଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ବାଘୁଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୩୧୦୦ ହେକ୍ଟର ମିଟର ହୋଇଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୨୩୮୭.୪୦ ହେକ୍ଟର ମିଟର ଜଳ ଗଚ୍ଛିତ ରହିଛି । ତେବେ ଉକ୍ତ ଜଳଭଣ୍ଡାର ମୋଟ ୮୩୦୦ ହେକ୍ଟର ଜମିଚାଷ ପାଇଁ ଜଳ ଯୋଗାଣ ଲକ୍ଷ୍ୟ ରହିଥିବା ବେଳେ ସେଥିମଧ୍ୟରୁ ବୁଗୁଡା ଅଞ୍ଚଳର ୪୮୨୭ ହେକ୍ଟର ଏବଂ ପୋଲସରା ଅଞ୍ଚଳର ୩୪୭୦ ହେକ୍ଟର ଜମିକୁ ଖରିଫ ଫସଲ ପାଇଁ ଜଳ ମଡା ଯିବାର ବ୍ୟବସ୍ଥା କରାଯାଇଥିବା ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ଵ ଜୀବନ ମହାପାତ୍ରଙ୍କ ଠାରୁ ପ୍ରକାଶ ପାଇଛି । ଚାଷ ପାଇଁ ଜମିକୁ ଜଳଯୋଗାଣ ନେଇ ଚାଷୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି ।

