ଭଞ୍ଜନଗର,୨୪।୯(ନିଲୁ ବିଷୋୟୀ):ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟି ପୁଣି ଥରେ କ୍ଷତିଗ୍ରସ୍ତ ହୋଇଛି। ଗତ ବର୍ଷ ଏକ ବଡ ଭୂସ୍ଖଳନରେ ରାସ୍ତା କାମ ପୂର୍ଣ୍ଣାଙ୍ଗ ହୋଇ ପାରି ନଥିବା ବେଳେ କଳିଙ୍ଗା ଘାଟିର ଅନ୍ଧାର କୋଟ ନିକଟରେ ଚାଲିଥିବା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଲଗାଣ ବର୍ଷାରେ ଗୁରୁବାର ମଧ୍ୟାହ୍ନରେ ଭୁଶୁଡ଼ିଯାଇଛି। ଏଥି ସହିତ ଅପରାହ୍ନରେ ଏକ ବିରାଟ ପଥର ଖଣ୍ଡ ଖସି ୮ଫୁଟ ଉଚ୍ଚର ସୁରକ୍ଷା ପାଚେରୀ ଭାଙ୍ଗିବା ସହ ପଥର ଖଣ୍ଡ ରାସ୍ତା ଉପରେ ପଡ଼ି ରହିଛି। ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆଜିକୁ ମିଶେଇ ତିନି ଥର ଭୁଶୁଡ଼ିଲାଣି। ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ବ ହେବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ୧୫୭ର କଳିଙ୍ଗା ଅନ୍ଧାରକୋଟ ସଙ୍କୁଚିତ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଟେଣ୍ଡର ହୋଇ କାର୍ଯ୍ୟ ଅବଧି ସାରି ପୁଣି ଇଓଟି ବଳରେ କାର୍ଯ୍ୟ ଚାଲିଥିବାବେଳେ କାର୍ଯ୍ୟ ତିନିଥର ଭୁଶୁଡ଼ିଲାଣି। କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଅନ୍ୟଦେଶ ପର୍ଯ୍ୟନ୍ତ କଳିଙ୍ଗା ଘାଟି ରାସ୍ତା ବନ୍ଦ ରଖିବାକୁ ନିର୍ଦେଶନାମା ଜାରି କରିଛନ୍ତି।ଲଗାଣ ବର୍ଷାରେ ଆଜି ପୁଣି ଏହି କାମ ଭୁଶୁଡ଼ି ଯିବା ଫଳରେ ବ୍ୟାପକ କ୍ଷତି ହୋଇଥିବାବେଳେ ରାସ୍ତାରେ ଯାତାୟତ ଆଉ ସମ୍ଭବ ହୋଇପାରିବ କି ନାହିଁ ସ୍ଥିତି ଅନୁଧ୍ୟାନ ଚାଲିଛି। ଦୁଇ ଦିନ ହେଲା ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟିରେ ଯାତାୟତ ବନ୍ଦ ରଖାଯାଇଥିଲା। ଆଉ ଆଜି ପୁଣି ଏହା ଭୁଶୁଡିଯାଇଛି। ଅପରପକ୍ଷେ ସ୍ଥିତିର ସମୀକ୍ଷା ଏବଂ ରାସ୍ତାର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପାଇଁ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କସହ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଏବଂ ଅନ୍ୟାନ୍ୟ ଅଧିକାରୀମାନେ କଳିଙ୍ଗା ଘାଟିର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।ଏହି ଅବସରରେ ଅତିରିକ୍ତ ଉପଜିଲ୍ଲାପାଳ,ଭଞ୍ଜନଗର ପ୍ରଧାନ ଟୁଲିଆମା, ଭଞ୍ଜନଗର ବିଡିଓ, ଜି.ଉଦୟଗିରି ଓ ଭଞ୍ଜନଗର ତହସିଲଦାର, ଫୁଲବାଣୀ ଜାତୀୟ ରାଜପଥ ବିଭାଗର କନିଷ୍ଠ ଯନ୍ତ୍ରୀ, ଭଞ୍ଜନଗର ଏସ୍ଡିପିଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।ଅଧିକାରୀମାନେ ଜି.ଉଦୟଗିରି ଓ ଭଞ୍ଜନଗର ତହସିଲ ଅଧୀନରେ ଥିବା କଳିଙ୍ଗା ଘାଟିର ବିଭିନ୍ନ ଭୂସ୍ଖଳନ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ରାସ୍ତାରେ ମାଟି ଓ ପଥର ଖସିବା ଯୋଗୁଁ ଯାତାୟାତ ଉପରେ ପଡ଼ୁଥିବା ପ୍ରଭାବ, ରାସ୍ତାର ସୁରକ୍ଷା ଏବଂ ଭୂସ୍ଖଳନ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଅଧିକାରୀମାନେ ଆଲୋଚନା କରିଥିଲେ।ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ସତର୍କ ନଜର ରଖିବା, ଆବଶ୍ୟକ ସ୍ଥଳେ ତୁରନ୍ତ ଯାତାୟାତ ନିୟନ୍ତ୍ରଣ କରିବା ଏବଂ ରାସ୍ତାରୁ ମାଟି ଓ ପଥର ହଟାଇବା ପାଇଁ ସମ୍ପୃକ୍ତ ବିଭାଗକୁ ସଜାଗ ରହିବାକୁ କୁହାଯାଇଥିଲା। ପରିସ୍ଥିତିର ନିରନ୍ତର ନିରୀକ୍ଷଣ ସହ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

