ଭଞ୍ଜନଗର,୧୯।୯(ଜନବାଣୀ):କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟି ଟି ୨ ରାଜ୍ୟ କୁ ସଂଯୋଗ କରୁଥିବା ବେଳେ ୧୦ ଜିଲ୍ଲା ନିମନ୍ତେ ଜନସାଧାରଣଙ୍କ ଯାତାୟାତ ଓ ଆର୍ଥିକ ସଂଯୋଗର ଏକ ମୁଖ୍ୟ ମାଧ୍ୟମ ହୋଇଥିବା ମୁଖ୍ୟ ରାସ୍ତା ଅଟେ। କନ୍ଧମାଳ ଜିଲ୍ଲାର ଯାତାୟାତ, ପର୍ଯ୍ୟଟନ, ବ୍ୟବସାୟ ଏବଂ ଜନସାଧାରଣଙ୍କ ସୁରକ୍ଷିତ ଯାତାୟାତ ଦୃଷ୍ଟିରୁ କଳିଙ୍ଗା ଘାଟି ରାସ୍ତାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରାକୃତିକ ବିପର୍ଯ୍ୟୟ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ୨୦୨୫ ସେପ୍ଟେମ୍ବର ୧୭ ତାରିଖରେ କଳିଙ୍ଗା ଘାଟିରେ ଘଟିଥିବା ଭୂସ୍ଖଳନ ହେବା ଫଳରେ ଉକ୍ତ ରାସ୍ତାରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ପ୍ରାୟ ୪୭ ଦିନ ପରେ ଯାନ ବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ପୂର୍ବରୁ ଛୋଟ ଛୋଟ ଭୂସ୍ଖଳନ ହୋଇଥିଲେ ମଧ୍ୟ ଏହି ଘଟଣା କଳିଙ୍ଗା ଘାଟି ପାଇଁ ଏକ ସ୍ଥାୟୀ ବିକଳ୍ପ ରାସ୍ତାର ଆବଶ୍ୟକତାକୁ ପୁଣିଥରେ ସୃଷ୍ଟି କରିଥିଲା। ଏହାପରେ ଗଞ୍ଜାମ ସୀମାନୁବର୍ତ୍ତୀ କନ୍ଧମାଳ ଓ ଗଞ୍ଜାମ ଅଞ୍ଚଳବାସୀଙ୍କ ତରଫରୁ କଳିଙ୍ଗା ଘାଟିର ବିକଳ୍ପ ରାସ୍ତା ନିର୍ମାଣ ଦାବିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିକୁ ଗୁରୁତ୍ୱ ଦେଇ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କରି କଳିଙ୍ଗା ଘାଟିର ବିକଳ୍ପ ରାସ୍ତା ନିର୍ମାଣ ନେଇ ଦାବି ଉପସ୍ଥାପନ କରିଥିଲେ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ କଳିଙ୍ଗା ଘାଟିର ବିକଳ୍ପ ବାଇପାସ୍ ରାସ୍ତା ପ୍ରକଳ୍ପ ପାଇଁ ୬୦୦ କୋଟି ଟଙ୍କା ଅନୁମୋଦନ ହୋଇଥିବା ଖବର ଉଭୟ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାବାସୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି। ଏହି ପଦକ୍ଷେପ ପାଇଁ ଉଭୟ ଜିଲ୍ଲାବାସୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛନ୍ତି। ସେହିପରି କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସମେତ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଙ୍କ ସମେତ ଏହି ପ୍ରକଳ୍ପ ପାଇଁ ସ୍ୱର ଉଠାଇଥିବା ଗଣମାଧ୍ୟମ ପ୍ରତିନିଧି, ଜନପ୍ରତିନିଧି, ସାମାଜିକ କର୍ମୀ ଙ୍କୁ ଉଭୟ ଜିଲ୍ଲାର ଜନସାଧାରଣ ଆନ୍ତରିକ ଧନ୍ୟବାଦ ଜଣାଉଛନ୍ତି। ଏବେ ପ୍ରକଳ୍ପର ପରବର୍ତ୍ତୀ ପ୍ରଶାସନିକ ଓ ବୈଷୟିକ ପ୍ରକ୍ରିୟା ଶୀଘ୍ର ସମ୍ପନ୍ନ ହେବା ସହିତ ନିର୍ମାଣ କାର୍ଯ୍ୟ ସମୟବଦ୍ଧ ଭାବେ ଆରମ୍ଭ ଓ ସମ୍ପନ୍ନ ହେଉ ଏହା ଉଭୟ ଜିଲ୍ଲାବାସୀଙ୍କ ଆଶା।

