ବ୍ରହ୍ମପୁର,୪।୧୧(ହିମାଂଶୁ ଶେଖର ସାବତ):ବିପଦ ସମୟରେ ମଣିଷ ପାଖରେ ମଣିଷ ଛିଡ଼ା ହେବା ହିଁ ପ୍ରକୃତ ମାନବିକତା। ଏହାର ଏକ ଉଦାହରଣ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ବନ୍ୟାରେ ପ୍ରଭାବିତ ଅସହାୟ ପରିବାରଙ୍କ ନିକଟରେ ସହାୟତାର ହାତ ବଢ଼ାଇଛନ୍ତି ଆର୍ମୀ, ପୁଲିସ ଓ ସାମ୍ବାଦିକ। ସେମାନଙ୍କ ମିଳିତ ଉଦ୍ୟମରେ ୧୨୦୦ରୁ ଊର୍ଦ୍ଧ୍ୱ ବନ୍ୟା ବିପନ୍ନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ସମ୍ପ୍ରତି ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ଅନେକ ଗ୍ରାମରେ ଘରଦ୍ୱାର ଜଳମଗ୍ନ ହେବା ସହ ଲୋକେ ଖାଦ୍ୟ ଓ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି। ଏଭଳି ସମୟରେ ପୁରୁଷୋତ୍ତମପୁର ବ୍ଲକ୍ର କୁମାରୀ ଓ ଆଛୁଲି ଗ୍ରାମର ବିଭିନ୍ନ ସାହିରେ ପହଞ୍ଚି ଆର୍ମୀ, ପୁଲିସ ଓ ସାମ୍ବାଦିକମାନେ ବିପନ୍ନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ। ଏହି ମାନବିକତାପୂର୍ଣ୍ଣ କାର୍ଯ୍ୟରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ। ତାଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି ଜନସେବା କାର୍ଯ୍ୟରେ ସାମିଲ ହୋଇ ସହଯୋଗର ହାତ ବଢ଼ାଇଥିଲେ। ଖାଦ୍ୟ ସହାୟତା ପାଇ ବନ୍ୟା ବିପନ୍ନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା। ବିପଦ ସମୟରେ ସେମାନେ ଏକା ନୁହନ୍ତି, ସମାଜର ସହୃଦୟ ବ୍ୟକ୍ତି ସେମାନଙ୍କ ସହ ଅଛନ୍ତି ବୋଲି ଏହି ପଦକ୍ଷେପ ଲୋକଙ୍କ ମନରେ ଭରସା ସୃଷ୍ଟି କରିଥିଲା। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଶିବଶଙ୍କର ମାଝୀ, ରୂପେଶ ପଣ୍ଡା, ଶିବ ପାଣିଗ୍ରାହୀ, ଚନ୍ଦନ ଦେଓ, ଅର୍ଜୁନ ଜେନା, ଅସିତ ପଣ୍ଡା, ଲଲାଟେନ୍ଦୁ ଚୌଧୁରୀ ଓ ପ୍ରିୟବ୍ରତ ପଣ୍ଡା ,ଅନୁରାଗ ମାଝୀ, ବିଘ୍ନେଶ ମୁନୀ, ଦିବ୍ୟଜ୍ୟୋତି ସେଠୀ, ଆଦିତ୍ୟ ସେଠୀ, ଅଂଶୁମାନ ଦଳାଇ ମୋନାଜ ପାଣିଗ୍ରାହୀ, ଶୁଭମ ଚୌଧୁରୀଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ।

