ଭଞ୍ଜନଗର,୯।୧୦(ନିଲୁ ବିଶୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଦୁଇଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ପ୍ରାର୍ଥୀ ଓ ପ୍ରାର୍ଥିୀନୀ ମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ କେଏସ୍ୟୁବି କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଓ ଅନ୍ୟ ଛାତ୍ର ଗୋଷ୍ଠୀ ପକ୍ଷରୁ ବିଭିନ୍ନ ଛାତ୍ରଛାତ୍ରୀ ମାନେ ଆସି ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହି ନାମାଙ୍କନ ପତ୍ର ଦାଖଲକୁ ନେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ କ୍ୟାମ୍ପସରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ନିଜ ପ୍ରାର୍ଥୀଙ୍କ ସପକ୍ଷରେ ସହପାଠୀ ନାରା ଦେଇ ନାମାଙ୍କନ ଭରିବାକୁ କଲେଜ ନିକଟରୁ ଏକ ଶୋଭାଯାତ୍ରାରେ କଲେଜକୁ ଆସିଥିଲେ। କଲେଜ ଗେଟ ସମ୍ମୁଖରେ ସମସ୍ତଙ୍କ ୟୁନିଫର୍ମ ଓ ପରିଚୟ ପତ୍ର କଡା ଯାଞ୍ଚ କରି କଲେଜ ଭିତରକୁ ଛଡାଯାଇଥିଲା। ସକାଳ ୧୦ ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଏହି ନାମାଙ୍କନ ପ୍ରକ୍ରିୟା ଦାଖଲ କାର୍ଯ୍ୟକ୍ରମ ଚାଲିଥିଲା। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କ୍ୟାମ୍ପସ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜିବା ପାଇଁ ପୁଲିସ ମୁତୟନ କରାଯାଇଥିଲା। ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ,ଏସ୍ଡିପିଓ ଡ.ଦିପକ କୁମାର ମିଶ୍ର ଏବଂ ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରମୁଖ କଲେଜ ପରିସରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଆସି ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ହେବା ପରେ ଦିନ ୨ଟା ପରେ ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ ଅପରାହ୍ନରେ ପ୍ରାର୍ଥୀଙ୍କ ବୈଧ ତାଲିକା ପ୍ରକାଶ କରାଯାଇଛି। ଏଥିରେ କେଏସ୍ୟୁବି କଲେଜରେ ସଭାପତି ପଦବୀରେ ୪ ଜଣ ଅର୍ଥାତ ଏମ୍ ସୌରଭ କୁମାର,ପ୍ରେମାନନ୍ଦ ପୋଲାଇ,ରାକେଶ ଭୂୟାଁ,ଶିବାଜୀ ମଲ୍ଲିକ ନାମାଙ୍କନ ଦାଖଲ କରିଥିବା ବେଳେ ସାଧାରଣ ସମ୍ପାଦକ ପଦବୀ ପାଇଁ ବି ୪ ଜଣ ସିଏଚ୍ ସୂରୢମ ପାତ୍ର,ପାର୍ଥ ସାରଥୀ ସାହୁ,ସନ୍ତୋଷିନୀ ସ୍ବାଇଁ ଶୁଭମ ପ୍ରଧାନ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ଉପସଭାପତି ଓ ଅନ୍ୟ ପଦବୀ ପାଇଁ ମଧ୍ୟ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା କଲେଜ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ୧୦ ପଦବୀ ପାଇଁ ନାମାଙ୍କନ ଦାଖଲ ରହିଥିବା ବେଳେ ୯ ଟି ପଦବୀ ପାଇଁ ଜଣେ ଲେଖାଏଁ ଛାତ୍ରୀ ନାମାଙ୍କନ ଦାଖଲ କରିଥିବାରୁ ଏଠାରେ ନିର୍ବାଚନ ହେବ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏଠାରେ ସଭାପତି ପଦ ପାଇଁ ଦିପିକା ପ୍ରଧାନ ଓ ସାଧାରଣ ସମ୍ପାଦକ ପାଇଁ ଅଙ୍କିତା ଗୌଡ ନାମାଙ୍କନ ଦାଖଲ କରିଛନ୍ତି। ଚଳିତ ବର୍ଷ ନିର୍ବାଚନରେ ଲିଙ୍ଗଡୋ କମିଶନଙ୍କ ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଭୟ ପ୍ରଶାସନ ଓ ଛାତ୍ର ସଂଗଠନ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ଚୁଡାନ୍ତ ତାଲିକା ପ୍ରକାଶ ପ୍ରକ୍ରିୟା ଶେଷ ହେବା ପରେ କ୍ୟାମ୍ପସ ଗୁଡ଼ିକରେ ନିର୍ବାଚନୀ ପ୍ରଚାର ଆହୁରି ସରଗରମ ହେବ ବୋଲି ଆଶା କରାଯାଉଛି।

