ଖୋର୍ଦ୍ଧା,୧୩।୯(କେଦାର ନାଥ ସାହୁ):ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ‘ବିଭାଗୀୟ ସାଂସ୍କୃତିକ ପ୍ରତିଯୋଗିତା–୨୦୨୬’ ସେପ୍ଟେମ୍ବର ୧୦ ଓ ୧୧ ତାରିଖରେ ଖୋର୍ଦ୍ଧା ରୋଡ ସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ଦୁଇ ଦିନିଆ ସାଂସ୍କୃତିକ ଉତ୍ସବରେ ରେଳ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର କଳାତ୍ମକ ପ୍ରତିଭା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ।ସେପ୍ଟେମ୍ବର ୧୦ ତାରିଖରେ ଖୋର୍ଦ୍ଧା ରୋଡ ମଣ୍ଡଳର ମଣ୍ଡଳ କାର୍ମିକ ଅଧିକାରୀ ତଥା ମଣ୍ଡଳ ସାଂସ୍କୃତିକ ସଂଘ ର କାର୍ଯ୍ୟନିର୍ବାହୀ ସମ୍ପାଦକ ଶ୍ରୀ ଅମରେନ୍ଦ୍ରନାଥ ମିଶ୍ର ଏବଂ ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଶ୍ରୀ ଶୌମିକ ଘୋଷଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଉଦ୍ଘାଟନ କରାଯାଇଥିଲା।ପ୍ରତିଯୋଗିତାରେ ଶାସ୍ତ୍ରୀୟ ସଙ୍ଗୀତ (ଏକକ), ସୁଗମ ସଙ୍ଗୀତ (ଏକକ), ଶାସ୍ତ୍ରୀୟ ବାଦ୍ୟ (ଏକକ), ସୁଗମ ବାଦ୍ୟ (ଏକକ), ଶାସ୍ତ୍ରୀୟ ନୃତ୍ୟ (ଏକକ), ସମୂହ ନୃତ୍ୟ ଓ ନାଟକ ଭଳି ବିଭିନ୍ନ ବିଭାଗରେ ବହୁ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଶାସ୍ତ୍ରୀୟ ସଙ୍ଗୀତରେ ୬ ଜଣ, ସୁଗମ ସଙ୍ଗୀତରେ ୨୫ ଜଣ, ଶାସ୍ତ୍ରୀୟ ବାଦ୍ୟରେ ୬ ଜଣ, ସୁଗମ ବାଦ୍ୟରେ ୫ ଜଣ, ଶାସ୍ତ୍ରୀୟ ନୃତ୍ୟରେ ୯ ଜଣ, ସମୂହ ନୃତ୍ୟରେ ୩ଟି ଦଳ ଏବଂ ନାଟକରେ ୨ଟି ଦଳ ଅଂଶଗ୍ରହଣ କରିଥିଲେ।ପ୍ରତିଯୋଗୀମାନେ ଉତ୍ସାହର ସହ ମନୋମୁଗ୍ଧକର କଳା ପ୍ରଦର୍ଶନ କରି ରେଳ ପରିବାରର ସମୃଦ୍ଧ ସାଂସ୍କୃତିକ ପ୍ରତିଭାର ପରିଚୟ ଦେଇଥିଲେ। ବିଶେଷକରି ରେଳ କର୍ମଚାରୀଙ୍କ ପରିବାରବର୍ଗଙ୍କ ପାଇଁ ନିଜର କଳାତ୍ମକ ପ୍ରତିଭା ବିକଶିତ ଓ ପ୍ରଦର୍ଶିତ କରିବାର ଏକ ଉତ୍ତମ ମଞ୍ଚ ଭାବେ ଏହି ପ୍ରତିଯୋଗିତା ପ୍ରେରଣାଦାୟୀ ସୁଯୋଗ ପ୍ରଦାନ କରିଥିଲା।ଖୋର୍ଦ୍ଧା ରୋଡ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି. କେ. ବେହେରା ଅନ୍ୟାନ୍ୟ ଶାଖା ଅଧିକାରୀଙ୍କ ସହ ନାଟକ ପ୍ରତିଯୋଗିତା ଉପଭୋଗ କରିବା ସହ ଅଂଶଗ୍ରହଣକାରୀ ଦଳଗୁଡ଼ିକର ଉତ୍କୃଷ୍ଟ ଅଭିନୟକୁ ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କର ଉପସ୍ଥିତି ଓ ଉତ୍ସାହବର୍ଦ୍ଧକ ବାକ୍ୟ ପ୍ରତିଯୋଗୀମାନଙ୍କ ମନୋବଳ ବୃଦ୍ଧି କରିଥିଲା।ପୁରସ୍କାର ବିତରଣ ଉତ୍ସବରେ ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଶ୍ରୀ ଶୌମିକ ଘୋଷ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଥିଲେ।ପ୍ରତ୍ୟେକ ବିଭାଗର ପ୍ରଥମ ପୁରସ୍କାର ବିଜେତାମାନେ ଚଳିତ ମାସ ଶେଷରେ ମଞ୍ଚେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା *ଆନ୍ତଃ-ମଣ୍ଡଳୀୟ ସାଂସ୍କୃତିକ ପ୍ରତିଯୋଗିତା–୨୦୨୬’ରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ପ୍ରତିନିଧିତ୍ୱ କରିବେ। ମନୋନୀତ ପ୍ରତିଯୋଗୀମାନେ ଅନ୍ତଃ-ମଣ୍ଡଳୀୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରି ଖୋର୍ଦ୍ଧା ରୋଡ୍ ମଣ୍ଡଳ ପାଇଁ ଗୌରବ ଆଣିବାର ସୁଯୋଗ ପାଇବେ।ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଅମରେନ୍ଦ୍ରନାଥ ମିଶ୍ରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ମଣ୍ଡଳ ସାଂସ୍କୃତିକ ସଂଘ ର ସଦସ୍ୟମାନଙ୍କ ସକ୍ରିୟ ସହଯୋଗ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ସମ୍ଭବ ହୋଇପାରିଛି। ଆୟୋଜକ, ଅଧିକାରୀ, କର୍ମଚାରୀ ଓ ପ୍ରତିଯୋଗୀମାନଙ୍କ ମିଳିତ ଉଦ୍ୟମ ଏହି ଦୁଇ ଦିନିଆ ସାଂସ୍କୃତିକ ଉତ୍ସବକୁ ସଫଳ କରିବା ସହ ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଦଳଗତ ଭାବନା, ସାଂସ୍କୃତିକ ସମୃଦ୍ଧି ଓ କର୍ମଚାରୀଙ୍କ ସହଭାଗିତାକୁ ଆହୁରି ସୁଦୃଢ଼ କରିଛି।

