ବ୍ରହ୍ମପୁର,୩୦/୦୫, (ହିମାଂଶୁ ଶେଖର ସାବତ):ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଏବଂ ‘ଆଇନ ସଚେତନତା’ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ‘ସେବା’ ସମ୍ପାଦିକା ଅଳକା ସାହୁ, ମହିଳା ସଶକ୍ତିକରଣ ଅଧିକାରୀ ବବିତା ମହାରଣା,ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରାଲିଗଲ ସ୍ବେଛାସେବୀ ଜ୍ୟୋସ୍ନା କୁମାରୀ ସାହୁ, ଶିକ୍ଷକ ଜୁରେଶ ସାହୁ, ସମସ୍ତ ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା, ସ୍ଥାନୀୟ ମହିଳା ପ୍ରମୁଖ ଉପସ୍ଥିତ ରହିଥିଲେ l ବାଲ୍ୟ ବିବାହ ମୁକ୍ତ ଗ୍ରାମ କରିବା ପାଇଁ ସେବା ସମ୍ପାଦିକା ଅଳକା ସାହୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହ ଚାଇଲଡ ଲାଇନ, ମହିଳା ଟ୍ରାଫିକିଙ୍ଗ ଆଦି ବିଷୟରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ l ସେହିଭଳି ଆଇନ କ’ଣ, ଜଣେ ସାଧାରଣ ବ୍ୟକ୍ତିର ଜୀବନରେ ଆଇନର ଆବଶ୍ୟକତା କ’ଣ, ନିଃଶୁଳ୍କ ଆଇନ ସେବା ବିଷୟରେ ଉପସ୍ଥିତ ସମସ୍ତଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ପାରାଲିଗଲ ସ୍ବେଛାସେବୀ ଜ୍ୟୋସ୍ନା କୁମାରୀ ସାହୁ l ଅଙ୍ଗନୱାଡି କର୍ମୀ ଲକ୍ଷ୍ମୀ ଭୂୟାଁ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l

