ବାଲିଗୁଡ଼ା,୩।୧୧(ସଞ୍ଜୟ କୁମାର ପାଣିଗ୍ରାହୀ):ଆଧୁନିକ ଯୁଗରେ କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ) ଓ ବୈଷୟିକ ଜ୍ଞାନ ଯୁବପିଢ଼ିଙ୍କ ଭବିଷ୍ୟତ ଗଠନରେ ଏକ ନୂଆ ଦିଗ ଖୋଲି ଥିବା ବେଳେ ଏହାର ଉପଯୋଗିତା ଓ ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ବାଲିଗୁଡ଼ା ଆଦିବାସୀ ଡିଗ୍ରୀ ମହାବିଦ୍ୟାଳୟରେ ଆୟୋଜିତ ହୋଇଛି କୌଶଳ ବିକାଶ ଯାତ୍ରା ଓ ଏ ଆଇ ସାକ୍ଷରତା ମିଶନ କାର୍ଯ୍ୟକ୍ରମ। ଆଇସେକ୍ଟ ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଏଆଇର ବ୍ୟବହାର, ନିଯୁକ୍ତି ସୁଯୋଗ ଏବଂ ଆଧୁନିକ ଜ୍ଞାନକୌଶଳ ସହ ନିଜକୁ କିପରି ଯୋଡ଼ି ରଖିବେ ସେ ସମ୍ପର୍କରେ ମାର୍ଗଦର୍ଶନ ଦିଆଯାଇଥିଲା। ଦେଶର ଅଗ୍ରଣୀ ଦକ୍ଷତା ବିକାଶ ଓ ଉଚ୍ଚଶିକ୍ଷା ସଂଗଠନ ଆଇସେକ୍ଟ ପକ୍ଷରୁ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା କୌଶଳ ବିକାଶ ଯାତ୍ରା ୨୦୨୬ ଦେଶର ୨୦ଟି ରାଜ୍ୟର ୩୦୦ଟି ଜିଲ୍ଲାର ୫୦୦ରୁ ଊର୍ଦ୍ଧ୍ୱ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ପହଞ୍ଚିବାର ଲକ୍ଷ୍ୟ ରଖିଛି। ଏହି ଅଭିଯାନ ମାଧ୍ୟମରେ ମାଗଣା ଏ ଆଇ ସେମିନାର, କର୍ମଶାଳା, କ୍ୟାରିୟର ପରାମର୍ଶ ଓ ବୈଷୟିକ ପ୍ରଦର୍ଶନୀ ଜରିଆରେ ଯୁବପିଢ଼ିଙ୍କୁ ନୂତନ ଦକ୍ଷତା ହାସଲ ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ଏବଂ ବ୍ଲେସିଂ ଏଜୁକେସନାଲ ଇନଷ୍ଟିଚ୍ୟୁସନ ସେଣ୍ଟରର ଅଧ୍ୟକ୍ଷ ସୁକଦେବ ଦିଗାଲ ଓ ବର୍ଷାରାଣୀ ଡାକୁଆ ଉପସ୍ଥିତ ଥିଲେ। ଆଇସେକ୍ଟ ଓଡ଼ିଶାର କ୍ଷେତ୍ରୀୟ ସଂଯୋଜକ ଚୌଧୁରୀ ସତ୍ୟବ୍ରତ ଦାଶ, ନିଳାଦ୍ରି ମହାରଣା ଓ ବିଡିଇ ସୁଧାଂଶୁ ରଞ୍ଜନ ନାୟକ ଛାତ୍ରଛାତ୍ରୀଙ୍କୁ ଏ ଆଇ ର ଭବିଷ୍ୟତ ବ୍ୟବହାର, ଶିକ୍ଷା, ନିଯୁକ୍ତି ଓ ବିଭିନ୍ନ କ୍ଷେତ୍ରରେ ଏହାର ଭୂମିକା ସମ୍ପର୍କରେ ବୁଝାଇଥିଲେ। ଆଇସେକ୍ଟ ମୁଖପାତ୍ର ସନ୍ତୋଷ ଚୋବେଙ୍କ ମତରେ, କୌଶଳ ବିକାଶ ଯାତ୍ରା କେବଳ ଏକ ଶିକ୍ଷାଗତ ଅଭିଯାନ ନୁହେଁ, ବରଂ ଯୁବପିଢ଼ିଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିବା ଓ ନିଯୁକ୍ତିଭିତ୍ତିକ ଶିକ୍ଷା ପ୍ରଦାନ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦ୍ୱାରା ବିକଶିତ ଭାରତ ଗଠନରେ ଯୁବପିଢ଼ିଙ୍କ ଭାଗୀଦାରି ବଢ଼ିପାରିବ। ଛାତ୍ରଛାତ୍ରୀ ମାନେ ଏହି ଅଭିଯାନକୁ ଭବିଷ୍ୟତ କ୍ୟାରିୟର ପାଇଁ ଏକ ଉପଯୋଗୀ ମାର୍ଗଦର୍ଶକ ବୋଲି ମତ ଦେଇଥିଲେ। ଶେଷରେ ଉପସ୍ଥିତ ଅତିଥି, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇ ସେମିନାରର ସମାପନ କରାଯାଇଥିଲା।

