ଚିକିଟି,୩/୮(ନିଗମାନନ୍ଦ ପଣ୍ଡା):ଲଗାଣ ବର୍ଷା ଯୋଗୁଁ ଚିକିଟି ପେଣ୍ଠ ଶିଶୁମନ୍ଦିର ରୋଡରେ ପାଣି ଜମି ରହିବା ସହ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ସାଧାରଣ ଜନତାଙ୍କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ପ୍ରତିଦିନ ଏହି ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ, ପଥଚାରୀ ଓ ଦୁଇଚକିଆ ଚାଳକମାନେ ଯାତାୟାତ କରୁଥିବାବେଳେ ପାଣି ଭିତରେ ଯିବାକୁ ବାଧ୍ୟ ହେଉଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍ ନଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ଏହି ରାସ୍ତା ଜଳମଗ୍ନ ହୋଇପଡ଼ୁଛି। ଫଳରେ ସ୍କୁଲକୁ ଯାଉଥିବା ଶିଶୁମାନଙ୍କ ସୁରକ୍ଷା ସହ ସାଧାରଣ ଲୋକଙ୍କ ଯାତାୟାତ ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଛି।ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚିକିଟି ଏନଏସି କର୍ତ୍ତୃପକ୍ଷ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ଓ ରାସ୍ତାର ଆବଶ୍ୟକ ମରାମତି କାର୍ଯ୍ୟ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

