ବ୍ରହ୍ମପୁର,୧୬/୫,(ହିମାଂଶୁ ଶେଖର ସାବତ):ଜରଡା ଥାନା ପୋଲିସ ଚିତାବାଘ ଚମଡା ଚୋରା ଚାଲାଣ ମାମଲାରେ ବଡ଼ ସଫଳତା ହାସଲ କରିଛି। ପୋଲିସ ଏକ ପୂର୍ଣ୍ଣାକାର ଚିତାବାଘ ଚମଡା ସହ ୨ଟି ଜୀବନ୍ତ ହାତତିଆରି ବୋମା, ଏକ ଖଡ୍ଗ, ଏକ ଲୋହା ରଡ୍ ଓ ଏକ ଛୁରୀ ଜବତ କରିଥିବାବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ନାୟକ (୪୭), ଗୁଞ୍ଜୁ ରାଇତା (୬୦) ଓ ଋତୁନ ବଡମୁଣ୍ଡି (୨୫)।ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟା ୪୫ ମିନିଟ ସମୟରେ ଜରଡା ଥାନା ଆଇଆଇସି ମୀନାକ୍ଷୀ ଦଳବେହେରା ବିଶ୍ୱସନୀୟ ସୂଚନା ପାଇ ଷ୍ଟାଫଙ୍କ ସହ ଧନବାଡ଼ା ଅଙ୍କୁଲି ପାହାଡ଼ିଆ ଅଞ୍ଚଳରେ ଚଢ଼ାଉ କରିଥିଲେ। ସେଠାରେ ୪ ଜଣ ସନ୍ଦିଗ୍ଧ ବ୍ୟକ୍ତି ଜଙ୍ଗଲ ଆଡକୁ ପଳାଇବାକୁ ଚେଷ୍ଟା କରୁଥିବା ଦେଖି ପୋଲିସ ସେମାନଙ୍କୁ ପିଛା କରିଥିଲା।ପଳାଇବା ସମୟରେ ଅଭିଯୁକ୍ତମାନେ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଆକ୍ରମଣ କରିଥିଲେ। ଏପରିକି ଜଣେ ଅଭିଯୁକ୍ତ ଖଡ୍ଗ ଦେଖାଇ ପୋଲିସକୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ତେବେ ଦୀର୍ଘ ସଂଘର୍ଷ ପରେ ପୋଲିସ ୩ ଜଣଙ୍କୁ କାବୁ କରିଥିବାବେଳେ ଅନ୍ୟ ଜଣେ ବନ୍ଧୁକ ସହ ଫେରାର ହୋଇଯାଇଛି।ଘଟଣାସ୍ଥଳରୁ ଏକ ଜୁଟ ବ୍ୟାଗ ଜବତ କରାଯାଇଥିଲା। ସେଥିରୁ ପୂର୍ଣ୍ଣାକାର ଚିତାବାଘ ଚର୍ମ ଓ ୨ଟି ଜୀବନ୍ତ ବୋମା ମିଳିଥିଲା। ଅଭିଯୁକ୍ତମାନଙ୍କ ନିକଟରୁ ଅନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି।ଏନେଇ ଜରଡା ଥାନାରେ ମାମଲା ନଂ-୧୬୫/୨୬ ରୁଜୁ କରାଯାଇ ବନ୍ୟଜନ୍ତୁ ସୁରକ୍ଷା ଆଇନ, ଆର୍ମସ ଆକ୍ଟ ଓ ବିସ୍ଫୋରକ ଆଇନର ବିଭିନ୍ନ ଧାରାରେ ମାମଲା ରଖାଯାଇଛି। ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଚିତାବାଘ ଚର୍ମ ଚୋରା ଚାଲାଣ ଚକ୍ରରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ, ପୋଲିସ ତାହାର ତଦନ୍ତ ଜାରି ରଖିଛି।

