ଜଟଣୀ,୧୯।୯(କେଦାର ନାଥ ସାହୁ):ଜଟଣୀ ସ୍ଥିତ ଗୋପୀନାଥ ମନ୍ଦିରରେ ଶନିବାର ରାଧାଷ୍ଟମୀ ଅବସରରେ ପୂର୍ବାହ୍ନ ଠିକ୍ ୧୨ଟା ସମୟରେ ଶ୍ରୀ ରାଧାରାଣୀଙ୍କ ଜନ୍ମଦିନ ଧୁମଧାମରେ ପାଳନ କରାଯାଇଛି। ଏହି ଅବସରରେ ଶହ ଶହ ଶ୍ରଦ୍ଧାଳୁ ମହିଳା ପୁରୁଷ ଉପସ୍ଥିତ ଥିଲେ ଏବଂ ରାଧାରାଣୀଙ୍କ ଜୟକାରରେ ମନ୍ଦିର ଗୁଞ୍ଜରିତ ହୋଇଯାଇଥିଲା। ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପଞ୍ଚାମୃତ, ଫଳ ଏବଂ ମିଠା ବଣ୍ଟନ କରାଯାଇଥିଲା, ଅଖିଳ ଭାରତୀୟ ମହିଳା ସମିତି ଜଟଣୀ ଶାଖାର ସଦସ୍ୟମାନେ ରାଧାରାଣୀଙ୍କ ଭାବଭରା ଭଜନ ଗାନ କରି ଥିଲେ। ଏହି ଅବସରରେ ମନ୍ଦିରକୁ ସୁଗନ୍ଧିତ ଫୁଲ ଓ ରଙ୍ଗବିରଙ୍ଗ ବେଲୁନରେ ସଜାଯାଇଥିଲା। ଶନିବାର ଦିନ ହିଁ ଦୁର୍ଗାଷ୍ଟମୀ ତିଥି ଅବସରରେ ସନ୍ଧ୍ୟା ସମୟରେ ଏକ ଭଜନ ସମାରୋହ ର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜାମସେଦପୁର ଟାଟାରୁ ଆସିଥିବା ପ୍ରସିଦ୍ଧ ଭଜନ ଗାୟକ ପ୍ରଭଜୋତ ସିଂହ (ମନ୍ନୀ) ଏବଂ ତାଙ୍କ ସାଥୀମାନେ ସନ୍ଧ୍ୟା ୭.୩୦ ରୁ ରାତି ୯.୩୦ ପର୍ଯ୍ୟନ୍ତ ମାତାରାଣୀଙ୍କ ଭାବଭରା ଭଜନ ଗାନ କରି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଏହି ଅବସରରେ ଶହ ଶହ ଭକ୍ତ ପ୍ରସାଦ ସେବନ କରିଥିଲେ। ଗୋପୀନାଥ ମନ୍ଦିର କମିଟି ତତ୍ତ୍ୱାବଧାନରେ ଆୟୋଜିତ ଉପରୋକ୍ତ କାର୍ଯ୍ୟକ୍ରମରେ ଜଟଣୀ ମାରୱାଡି ସମାଜ ଓ ସ୍ଥାନୀୟ ସମାଜ ର ଅନେକ ମହିଳା ପୁରୁଷ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

