ଫୁଲବାଣୀ,୩।୧୦(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ପୁଲିସ ଏକ ହତ୍ୟା ମାମଲାର ସମାଧାନ କରିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତକ ଅଶୋକ ସାହୁଙ୍କ ହତ୍ୟା ଅଭିଯୋଗରେ ତାଙ୍କ ଭାଇ ଅରୁଣ କୁମାର ସାହୁ ଓରଫ ମିଟୁ (୩୭)ଙ୍କୁ ପୁଲିସ ଗିରଫ କରିଛି। ଏନେଇ ଫୁଲବାଣୀ ଟାଉନ୍ ଥାନାରେ କେସ୍ ନଂ-୨୮୧, ତାରିଖ ୨.୧୦.୨୦୨୬ରେ ବିଏନ୍ଏସ୍ ଧାରା ୧୦୩(୧)ରେ ମାମଲା ରୁଜୁ ହୋଇଛି।ପୁଲିସ ସୂଚନା ଅନୁଯାୟୀ, ଫୁଲବାଣୀ ଥାନା ଅଧୀନ ପ୍ରଗତି ମାର୍ଗ ଅଞ୍ଚଳର ‘ସ୍ମିତା ଭବନ’ର ଏକ ଭଡ଼ା ଘରୁ ଅଶୋକ ସାହୁଙ୍କ ମୃତଦେହ ମିଳିଥିଲା। ମୃତଦେହରୁ ଦୁର୍ଗନ୍ଧ ବାହାରୁଥିବା ଏବଂ ତାହା ପଚିଯାଇଥିବା ଦେଖି ଘଟଣାଟି ହତ୍ୟା ବୋଲି ସନ୍ଦେହ କରାଯାଇଥିଲା।ତଦନ୍ତରୁ ଜଣାପଡ଼ିଛି ଯେ, ମୃତକ ଅଶୋକ ଓ ଅଭିଯୁକ୍ତ ଅରୁଣ ଦୁଇ ଭାଇ। ଫୁଲବାଣୀ ଧିପାସାହି ନିକଟରେ ତାଙ୍କ ମୃତ ପିତା ଭାସ୍କର ସାହୁଙ୍କ ନାମରେ ଥିବା ୬ ସେଣ୍ଟ ଜମି ବିକ୍ରିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲା।ପୁଲିସର ପ୍ରେସ୍ ନୋଟ୍ ଅନୁସାରେ, ସେପ୍ଟେମ୍ବର ୨୬ ତାରିଖ ରାତି ପ୍ରାୟ ୧୦ଟାରେ ଅଶୋକ ମଦ୍ୟପାନ କରି ଘରକୁ ଆସିଥିଲେ। ଜମିର ନିଜ ଭାଗ ବିକ୍ରି କରି ଟଙ୍କା ପାଇବାକୁ ସେ ଦାବି କରିବାରୁ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଅଭିଯୁକ୍ତ ଏକ କାଠ ବାଡ଼ିରେ ଅଶୋକଙ୍କ ମୁଣ୍ଡକୁ ଆଘାତ କରିଥିବା ଏବଂ ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି। ଘଟଣା ପରେ ଅଭିଯୁକ୍ତ ସେଠାରୁ ଚାଲିଯାଇଥିବା ତଦନ୍ତରେ ପ୍ରକାଶ ପାଇଛି।ପୁଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ କାଠ ବାଡ଼ି ଜବତ କରିଛି। ଅଭିଯୁକ୍ତଙ୍କର ପୂର୍ବରୁ କୌଣସି ଅପରାଧିକ ମାମଲା ନଥିବା ପ୍ରେସ୍ ନୋଟ୍ରେ ଉଲ୍ଲେଖ ରହିଛି। ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ମାମଲା ପ୍ରତିଷ୍ଠିତ ହୋଇଥିବାରୁ ତାଙ୍କୁ ଗିରଫ କରି ନ୍ୟାୟିକ ହାଜତକୁ ପଠାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

