ପାତ୍ରପୁର,୧୬/୦୫,(କୁରେଶ୍ ରେଡ୍ଡୀ):ବନ୍ୟପ୍ରାଣୀ ଚୋରା ଚାଲାଣ ରୋକିବା ଦିଗରେ ଜରଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜାମ ଜିଲ୍ଲା ଅଧୀନ ବ୍ରହ୍ମପୁର ପୋଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଜରଡ଼ା ଥାନା ଅନ୍ତର୍ଗତ ଧନାବାଡ଼ା ଅଙ୍କୁଳି ଅଞ୍ଚଳରେ ପୋଲିସ ଚଢ଼ଉ କରି ଗୋଟିଏ ପୂର୍ଣ୍ଣ ଆକାରର ଚିତାବାଘ ଚର୍ମ, ୨ଟି ଜୀବନ୍ତ ହାତବନ୍ଧା ବୋମା ସହ ବିଭିନ୍ନ ଘାତକ ଅସ୍ତ୍ର ଜବତ କରିଛି। ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି।ପୋଲିସ ସୂତ୍ର ଅନୁସାରେ, ଜରଡ଼ା ଥାନା IIC ଶ୍ରୀମତୀ ମୀନାକ୍ଷୀ ଦଳବେହେରାଙ୍କୁ ଗତକାଲି ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟ ସମୟରେ ଚିତାବାଘ ଚର୍ମ ବେପାର ସମ୍ପର୍କରେ ଗୁପ୍ତ ସୂଚନା ମିଳିଥିଲା। ସୂଚନା ଆଧାରରେ ସେ ନିଜ ଟିମ୍ ସହ ଧନାବାଡ଼ା ଅଙ୍କୁଳି ଅଞ୍ଚଳକୁ ଚଢ଼ଉ କରିଥିଲେ।ଚଢ଼ଉ ସମୟରେ ପୋଲିସ ଉପରେ ଆକ୍ରମଣଚଢ଼ଉ ସମୟରେ ପୋଲିସ ଦଳକୁ ଦେଖି ୪ ଜଣ ସନ୍ଦେହଭଜନ ଜଙ୍ଗଲ ଦିଗକୁ ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ତୁରନ୍ତ ଧାଡ଼ା କରିଥିଲା। ଧାଡ଼ାବେଳେ ଅଭିଯୁକ୍ତମାନେ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରି ଶାରୀରିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଏହାସହ ଜଣେ ଅଭିଯୁକ୍ତ ତଳୱାର ଉଠାଇ ପୋଲିସକୁ ହତ୍ୟା ଧମକ ଦେଇଥିଲା। ଦୀର୍ଘ ସଂଘର୍ଷ ପରେ ପୋଲିସ ୩ ଜଣଙ୍କୁ କାବୁ କରିଥିବା ବେଳେ ଜଣେ ଅଭିଯୁକ୍ତ ବନ୍ଦୁକ ସହ ଫେରାର ହୋଇଯାଇଥିବା ଜଣାପଡ଼ିଛି।ଜୁଟ୍ ବ୍ୟାଗରୁ ଚିତାବାଘ ଚର୍ମ ଓ ବୋମା ଉଦ୍ଧାରଘଟଣାସ୍ଥଳରୁ ପୋଲିସ ଗୋଟିଏ ଜୁଟ୍ ବ୍ୟାଗ ଉଦ୍ଧାର କରିଥିଲା। ସେଥିରେ ଗୋଟିଏ ପୂର୍ଣ୍ଣ ଆକାରର ଚିତାବାଘ ଚର୍ମ ସହ ୨ଟି ଜୀବନ୍ତ ହାତବନ୍ଧା ବୋମା ଥିବା ଜଣାପଡ଼ିଥିଲା। ପରେ ଅଭିଯୁକ୍ତମାନଙ୍କ ନିଜସ୍ୱ ତଲାସୀ ସମୟରେ ଗୋଟିଏ ତଳୱାର, ଗୋଟିଏ ଲୋହା ରଡ୍ ଓ ଗୋଟିଏ ଛୁରୀ ଭଳି ଘାତକ ଅସ୍ତ୍ର ମଧ୍ୟ ଜବତ କରାଯାଇଥିଲା।ପୋଲିସ ଚଢ଼ଉ ସମୟରେ ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତ ହେଲେ ଗୋବିନ୍ଦ ଚନ୍ଦ୍ର ନାୟକ (୪୭)ପିତା- ନାରାୟଣ ନାୟକଗ୍ରାମ- ଚାଚାଡ଼ାଖଟା, ଥାନା- ରାମଗିରି, ଜିଲ୍ଲା- ଗଜପତି, ଗୁଞ୍ଜୁ ରାଇତା (୬୦) ପିତା- ରାଇବରିଆ ରାଇତା ଗ୍ରାମ- ବରଡ଼ା, ଥାନା- ରାମଗିରି, ଜିଲ୍ଲା- ଗଜପତି, ରୀତୁନ୍ ବାଡ଼ମୁଣ୍ଡି (୨୫) ପିତା- ସ୍ୱର୍ଗତ ସୋମନାଥ ବାଡ଼ମୁଣ୍ଡିଗ୍ରାମ- ମଙ୍ଗରାଜପୁର, ଥାନା- ରାମଗିରି, ଜିଲ୍ଲା- ଗଜପତି,କେସ୍ ନଂ- ୧୬୫ ରୁଜୁଏହି ମାମଲା ଜରଡ଼ା ଥାନା କେସ୍ ନଂ- ୧୬୫ (ତାରିଖ ୧୫.୦୫.୨୦୨୬) ଅନୁଯାୟୀ ରୁଜୁ ହୋଇଛି।ଅଭିଯୁକ୍ତମାନଙ୍କ ବିରୋଧରେ BNS ଧାରା ୬୧(୨)/୧୩୨/୧୦୯/୩(୫) ସହିତ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ଅସ୍ତ୍ର ଆଇନ ଓ ବିସ୍ଫୋଟକ ଦ୍ରବ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି।ଏହି ଘଟଣାରେ ଅଭିଯୋଗ ଦାଖଲ କରିଛନ୍ତି ଜରଡ଼ା ଥାନା IIC ଶ୍ରୀମତୀ ମୀନାକ୍ଷୀ ଦଳବେହେରା।ଅଦାଲତକୁ ଚାଲାଣ, ରାକେଟ ଉପରେ ତଦନ୍ତ ଜାରିପୋଲିସ କହିଛି ଯେ ତଦନ୍ତକାଳୀନ ସମୟରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିବାରୁ ଗିରଫ ୩ ଜଣ ଅଭିଯୁକ୍ତଙ୍କୁ ଅଦାଲତକୁ ପ୍ରେରଣ କରାଯାଇଛି।ଏହାସହ ଚିତାବାଘ ଚର୍ମ ବେପାର ପଛରେ ଥିବା ବଡ଼ ଚୋରା ଚାଲାଣ ରାକେଟ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି। ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ଚୋରା ଚାଲାଣ ଯୋଗସାଜସ ନେଇ ଅନ୍ୟ ସଂପୃକ୍ତ ଅଭିଯୁକ୍ତଙ୍କ ଖୋଜ ଚାଲିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

