ପାତ୍ରପୁର,୧୩/୦୪:(କୁରେଶୂ ରେଡ୍ଡୀ):ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ ଏମ୍, ଆଇ.ପି.ଏସ୍ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଆଜି ଜରଡା ଥାନା ଅନ୍ତର୍ଗତ ବୁରାତାଲ, ଗୁରୁଡ଼ା ଓ ସିନ୍ଦୁରବାଡ ଆଦି ଅଞ୍ଚଳର ପାହାଡିଆ ଜଙ୍ଗଲ ଓ ନାଳ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ଏକ ବଡ଼ ଚଢ଼ଉ କରାଯାଇଛି। ଏହି ଚଢ଼ଉ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ପାତ୍ରପୁର ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଭାକର ନାୟକ ଓ ଅବକାରୀ ଉପ ଅଧିକ୍ଷୀକା ଶ୍ରୀମତୀ ସ୍ନେହଲତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା। ଚଢ଼ଉ ସମୟରେ ବିପୁଳ ପରିମାଣର ଚୋରା ମଦ ଭାଟିଗୁଡ଼ିକୁ ନଷ୍ଟ କରାଯିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୨୧,୮୦୦ ଲିଟର ଗୁଡ଼ ପିଡ଼ିଆ ପୋଚ ଓ ୧,୯୯୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି। ଏହା ସହ ଡ୍ରମ, ଡେକ୍ଚି ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏହି ଚଢ଼ଉରେ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସଞ୍ଜୟ କୁମାର ପଣ୍ଡା, ଜରଡା ଥାନା ଅଧିକାରୀଣୀ ଶ୍ରୀମତୀ ମିନାକ୍ଷୀ ଦଳବେହେରା, ବ୍ରହ୍ମପୁର ଅବକାରୀ ଭ୍ରାମ୍ୟମାଣ ଇନ୍ସପେକ୍ଟର ଶ୍ରୀମତୀ ମନିଷା ଭୋଳ, ଅବକାରୀ ଇନ୍ସପେକ୍ଟର ଶ୍ରୀ ବି. ମନୋଜ କୁମାର, ଚିକିଟି ଅବକାରୀ ଥାନା ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଭୁକ୍ତାଙ୍କ ସହ ବ୍ରହ୍ମପୁର, ଗୋପାଳପୁର, ଦିଗପହଣ୍ଡି ଓ ଗୋଳନ୍ଥରା ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ। ଏହା ସହ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ, ଜରଡା ଥାନା କର୍ମଚାରୀ, ଏପିଆର ଫୋର୍ସ ଓ ପୋଲିସ୍ କର୍ମଚାରୀମାନଙ୍କ ସହିତ ମୋଟ ୧୨୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଏହି ବଡ଼ ଅଭିଯାନରେ ଭାଗ ନେଇଥିଲେ। ପ୍ରଶାସନ ପକ୍ଷରୁ ଅବୈଧ ମଦ କାରବାର ଉପରେ ଆଗାମୀ ଦିନରେ ଏଭଳି ଚଢ଼ଉ ଅଧିକ ତୀବ୍ର କରାଯିବ ବୋଲି ସୂଚନା ମିଳିଛି।

