ଫୁଲବାଣୀ,୨୭।୮(ସୁନୀଲ ପଟ୍ଟନାୟକ);ଆଦିବାସୀ ଅଧ୍ୟୁଷିତ ରେଳ ବିହୀନ କନ୍ଧମାଳ ଜିଲ୍ଲାରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗତ ୨୦୧୪ ମସିହାରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଫୁଲବାଣୀ ଠାରେ ଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ର ଶାଖାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା । ଶାଖା ପୁନଃ କାର୍ଯ୍ୟକ୍ଷମ ହେବାପରେ ତତ୍କାଳୀନ ସରକାରଙ୍କ ତରଫରୁ ବିଜୁ ଗାଁ ଗାଡ଼ି ଯୋଜନା ମାଧ୍ୟମରେ ଫୁଲବାଣୀ ଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳ ଯଥା-କାଟିଙ୍ଗା, ବାନ୍ଦାଦଣୀ, ପାଇରେଜୁ, ଶ୍ରୀରାମପୁର, ବିଳାମାଳ, ମଣ୍ଡାସରୁ, ହାତୀମୁଣ୍ଡା, ଲଣ୍ଡାଗାଁ, କେରୁବାଡ଼ି, ଝିରିପାଣି ଏବଂ ବେଲଘର ମାର୍ଗରେ ସରକାରୀ ବସ୍ ଚଳାଚଳ ଆରମ୍ଭ କରାଯାଇଥିଲା । ଯାହାଦ୍ବାରା ଦୁର୍ଗମ ଅଞ୍ଚଳର ଜନସାଧାରଣ ମାନେ ଅତି ସୁରୁଖୁରୁରେ ଜିଲ୍ଲାର ସଦର ମହକୁମା ଫୁଲବାଣୀକୁ ଯାତାୟାତ କରିପାରୁଥିଲେ । କିନ୍ତୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ମୁଖ୍ୟାଳୟ ତରଫରୁ ବାରମ୍ବାର ଅନଭିଜ୍ଞ ଅଧିକାରୀଙ୍କୁ ଫୁଲବାଣୀ ଓ.ଏସ୍.ଆର୍.ଟି.ସି ଶାଖାର ଦାୟିତ୍ଵ ଦିଆଯାଉଥିବା ଯୋଗୁଁ ଫୁଲବାଣୀ ଶାଖାର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଶୋଚନୀୟ ହେବାରେ ଲାଗିଛି । ଦୀର୍ଘ ଦିନ ଧରି ହେବ ଫୁଲବାଣୀ ଠାରୁ କାଟିଙ୍ଗା, ବାନ୍ଦାଦଣୀ, ପାଇରେଜୁ, ଲଣ୍ଡାଗାଁ ଏବଂ ମଣ୍ଡାସରୁ ମାର୍ଗରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି, ଯାହା ଦ୍ଵାରା ଜନସାଧାରଣ ମାନଙ୍କୁ ଯାତାୟାତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହା ବ୍ୟତୀତ ଗତ ୨୦୨୩ ମସିହାରେ ସେପ୍ଟେମ୍ବର ମାସ ୦୧ ତାରିଖ ଦିନ ଫୁଲବାଣୀ ଠାରୁ କେନ୍ଦୁଝର ପର୍ଯ୍ୟନ୍ତ ନୂତନ ମାର୍ଗରେ ସରକାରୀ ବସ୍ ଚଳାଚଳ ର ଶୁଭାରମ୍ଭ କରାଯାଇଥିଲା କିନ୍ତୁ ବସ୍ ଟି ଶୁଭାରମ୍ଭ ହେବାର ୧ ମାସ ମଧ୍ୟରେ ବନ୍ଦ ହୋଇଗଲା । ବର୍ତ୍ତମାନ ବିଭାଗ ତରଫରୁ ଉକ୍ତ ବସ୍ ର ରୁଟ୍ ପରମିଟ୍ କୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି । ଦୀର୍ଘ ଦିନ ଧରି ହେବ ଫୁଲବାଣୀ ଶାଖାରେ ଲାଗିରହିଥିବା ବିଭିନ୍ନ ସମସ୍ୟା ତଥା ଅଚଳାବସ୍ଥା ଦୂର କରିବା ଓ ଫୁଲବାଣୀ ଠାରୁ ରାଜ୍ୟର ପ୍ରମୁଖ ସହର ଗୁଡ଼ିକକୁ ସିଧାସଳଖ ସରକାରୀ ବସ୍ ଚଳାଚଳ ର ବ୍ୟବସ୍ଥା ଏବଂ ଫୁଲବାଣୀ ଶାଖା ଭିତରେ ଯଥାଶୀଘ୍ର ନୂତନ ବସଷ୍ଟାଣ୍ଡ ଓ ଡିପୋ ନିର୍ମାଣ ପାଇଁ କନ୍ଧମାଳ ଜିଲ୍ଲାର ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି କି ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ମୁଖ୍ୟ ଶାସନ ସଚିବ, ଓ.ଏସ୍.ଆର୍.ଟି.ସି. ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ସାଧାରଣ ପରିଚାଳକଙ୍କ ନିକଟକୁ ଦରଖାସ୍ତ ଲେଖି ୧୫୦ ରୁ ଉର୍ଦ୍ଧ୍ବ ଥର ଅଭିଯୋଗ ପଞ୍ଜିକରଣ କରିବା ସହିତ ବାରମ୍ବାର ସାକ୍ଷାତ କରିବା ସତ୍ତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ ଫୁଲବାଣୀ ଶାଖାର କୌଣସି ପରିବର୍ତ୍ତନ ହୋଇପାରିଲା ନାହିଁ । କନ୍ଧମାଳ ଜିଲ୍ଲା ଏକ ରେଳ ବିହୀନ ଜିଲ୍ଲା ହୋଇଥିବାରୁ ଜନସାଧାରଣ ମାନେ ଯାତାୟାତ ପାଇଁ ଉଭୟ ଘରୋଇ ଏବଂ ସରକାରୀ ବସ୍ ଉପରେ ନିର୍ଭର କରିଥାନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟରେ ଡ଼ବଳ ଇଞ୍ଜିନ୍ ସରକାର ଥିବା ବେଳେ କନ୍ଧମାଳ ଜିଲ୍ଲାରେ ପରିବହନ କ୍ଷେତ୍ରରେ ଦ୍ଵିଗୁଣା ବିକାଶ ହେବା କଥା କିନ୍ତୁ ପରିବହନ ବ୍ୟବସ୍ଥା ଦିନ କୁ ଦିନ ଅତ୍ୟନ୍ତ ବିପର୍ଯ୍ୟସ୍ତ ହେବାରେ ଲାଗିଛି, ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତ୍ତମାନ କାର୍ଯ୍ୟରତ ଥିବା ଜିଲ୍ଲା ପରିବହନ ପରିଚାଳକ ପ୍ରିତମ କୁମାର ସାହୁ, ଅଧିକାଂଶ ସମୟ କାର୍ଯ୍ୟାଳୟକୁ ଆସୁନାହାନ୍ତି ଏବଂ ବିନା ଛୁଟିରେ ନିଜ ଘରକୁ ପଲାଉଛନ୍ତି । ଦିନ ୧୦ ଟା ରେ କାର୍ଯ୍ୟାଳୟ ଖୋଲା ଯାଉଥିଲେ ସୁଦ୍ଧା ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଠିକ୍ ସମୟରେ କାର୍ଯ୍ୟାଳୟ କୁ ଆସୁନାହାନ୍ତି । ଯାହା ଦ୍ଵାରା ଦୂରଦୂରାନ୍ତରୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ଜନସାଧାରଣ ମାନେ ଜିଲ୍ଲା ପରିଚାଳକଙ୍କୁ ସାକ୍ଷାତ ନ କରି ନିରାଶ ହୋଇ ଫେରି ଯାଉଛନ୍ତି । ଜିଲ୍ଲା ପରିଚାଳକଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ବିଭାଗ ତରଫରୁ ସରକାରୀ ଗାଡ଼ି ଯୋଗାଇ ଦିଆଯାଇଛି କିନ୍ତୁ ଜିଲ୍ଲା ପରିଚାଳକ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି ଏବଂ ନିୟମିତ ଭାବେ ବସ୍ ଗୁଡ଼ିକକୁ ଯାଞ୍ଚ ମଧ୍ୟ କରୁନାହାନ୍ତି ଯାହା ଦ୍ଵାରା କଣ୍ଡକ୍ଟର ମାନେ ଯାତ୍ରୀ ଭଡ଼ା ବାବଦରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରୁଛନ୍ତି । ଯାହାଫଳରେ ଉଭୟ ମୁଖ୍ୟମନ୍ତ୍ରୀ ବସ୍ ସେବା ଅନ୍ତର୍ଗତ ଶୀତତାପ ନିୟନ୍ତ୍ରିତ ବସ୍ ଏବଂ ଓ.ଏସ୍.ଆର୍.ଟି.ସି ବସ୍ ଗୁଡ଼ିକରେ ଡ଼ିଜେଲ୍ ପକେଇବା ପାଇଁ ଟଙ୍କା ନ ହେବା ସହିତ ଲକ୍ଷାଧିକ ଟଙ୍କା କ୍ଷତିରେ ଚାଲିଛି । ଜିଲ୍ଲା ପରିଚାଳକଙ୍କ ମନମୁଖୀ କାର୍ଯ୍ୟ ଏବଂ ଦାୟିତ୍ବହୀନତା ଯୋଗୁଁ ଫୁଲବାଣୀ ଓ.ଏସ୍.ଆର୍.ଟି.ସି ଶାଖାର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଶୋଚନୀୟ ହେବାରେ ଲାଗିଛି । ଏବଂ ଆଗକୁ ଶାଖାର ଅବନତି ଘଟି ବୁଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ବିଭାଗ ତରଫରୁ ଉକ୍ତ ସମସ୍ୟା ଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯାଇ ଯଥାଶୀଘ୍ର ଦୀର୍ଘ ଦିନ ଧରି ବନ୍ଦ ଥିବା ମାର୍ଗରେ ପୁନର୍ବାର ବସ୍ ଚଳାଚଳ ର ବ୍ୟବସ୍ଥା କରିବା, ଫୁଲବାଣୀ ଶାଖା ମଧ୍ୟରେ ତୁରନ୍ତ ଅତ୍ୟାଧୁନିକ ବସଷ୍ଟାଣ୍ଡ ତଥା ଡିପୋ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା, ଜଣେ ଅଭିଜ୍ଞ ଅଧିକାରୀଙ୍କୁ ଶାଖାର ଦାୟିତ୍ଵ ପ୍ରଦାନ, ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କଣ୍ଡକ୍ଟର ମାନଙ୍କୁ ବଦଳି କରିବା ଏବଂ ଫୁଲବାଣୀ ଠାରୁ ରାଜ୍ୟର ପ୍ରମୁଖ ସହର ଗୁଡ଼ିକକୁ ଯଥା-ଭବାନୀପାଟଣା-କେସିଙ୍ଗା, ସୁନାବେଡ଼ା, ବାରିପଦା, ଘଟଗାଁ, ବ୍ରହ୍ମପୁର, ପାରଳାଖେମୁଣ୍ଡି, ଗୁଣୁପୁର, ବିଶାଖାପାଟଣା, ମାଲକାନଗିରି, ସୋରଡ଼ା, ଓଡ଼ଗାଁ ଓ ବ୍ରାହ୍ମଣୀଗାଁ ଠାରୁ କଟକ, ଦାରିଙ୍ଗବାଡ଼ି ଠାରୁ ପୁରୀ, ଦାରିଙ୍ଗବାଡ଼ି ଠାରୁ ଝାରସୁଗୁଡ଼ା ଏବଂ ବାଲିଗୁଡ଼ା ଠାରୁ ରାଉରକେଲା ଓ ଘୁ.ଉଦୟଗିରି ଠାରୁ ଗୋପାଳପୁର ପର୍ଯ୍ୟନ୍ତ ନୂତନ ମାର୍ଗରେ ସରକାରୀ ବସ୍ ଚଳାଚଳ ର ବ୍ୟବସ୍ଥା କରିବା ପାଇଁ ରାଜେଶ କୁମାର ବଗର୍ତ୍ତୀ ମାନ୍ୟବର ମୁଖ୍ୟମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ଓ.ଏସ୍.ଆର୍.ଟି.ସି ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ସାଧାରଣ ପରିଚାଳକଙ୍କ ନିକଟରେ ଦାବି କରିଛନ୍ତି । ଆଗକୁ ଉକ୍ତ ଦାବିଗୁଡିକୁ ପୂରଣ ନ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅବଗତ କରିବେ ବୋଲି ରାଜେଶ ମତପ୍ରକାଶ କରିବା ସହ ଦାବି ହାସଲ ପାଇଁ ଜିଲ୍ଲାବାସୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବେ ବୋଲି କହିଛନ୍ତି ।

