ଭଞ୍ଜନଗର,୧୩/୪:(ନିଲୁ ବିଷୋୟୀ): ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଦଣ୍ଡଯାତ୍ରାର ମାସନ୍ତ ମେରୁ ପାଳିତ ହୋଇଛି। ଦଣ୍ଡଭୁକ୍ତା ମାନେ ବିଭିନ୍ନ ଗ୍ରାମ ବୁଲି ଯାତ୍ରା କରିବା ପରେ ନିଜ ଗ୍ରାମକୁ ଫେରିଛନ୍ତି। ଆଜି ଭଞ୍ଜନଗର ଓ ଏହାର ଆଖପାଖ ଅନେକ ଗ୍ରାମରେ ମେରୁଯାତ୍ରା ହୋଇଛି। ବିଶେଷ କରି ବ୍ଳକର ଗାଲେରୀ ଗ୍ରାମରେ ଆରାଧ୍ୟ ଦେବୀ ମା’ ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ଆଡମ୍ବର ସହକାରେ ସମାପନ ହୋଇଥିବା ବେଳେ ଏଥିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପୂର୍ବାହ୍ନରେ ପାଗ ଶୁଖିଲା ରହିଥିବା ବେଳେ ଅପରାହ୍ନରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା। ଦିନରେ ପ୍ରବଳ ଖରା ସତ୍ତ୍ବେ ଭକ୍ତଙ୍କ ସଂଖ୍ୟାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା। ସକାଳୁ ହିଁ ଗ୍ରାମରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିବା ଆରମ୍ଭ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ତାରସିଂ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗାଲେରୀ ଯାତ୍ରା କମିଟି ସହ ଗ୍ରାମବାସୀ ସୁଚାରୁ ରୁପେ ପରିଚାଳନା ପାଇଁ ଗ୍ରାମବାସୀ ସହଯୋଗ କରିଥିଲେ। ‘ମୋ ଗାଁ ଗାଲେରୀ’ ଓ ବିପଦର ବନ୍ଧୁ ଅନୁଷ୍ଠାନ ସଦସ୍ୟ ମାନେ ପଣା ସହ ସେବା ଯୋଗାଇବାରେ ସହଯୋଗ କରିଥିଲେ। ଏଥିସହ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଗ୍ରାମରେ ମଧ୍ୟ ଆଜି ମାସନ୍ତ ମେରୁ ପାଳିତ ହୋଇଯାଇଛି। ସହର ଉପକଣ୍ଠ ଗାମୁଣ୍ଡି,ଢୁଢୁ୍ଆ, ଜିଲୁଣ୍ଡି,କୁଲାଡ଼,ଲେମ୍ଭେଇ,ବାଇବାଲି,ଆଖୁପଦର,ତନରଡ଼ା,ନୂଆଗାଁ,ବଦାଙ୍ଗି ଓ ମୁଜାଗଡ ଭଳି ଗ୍ରାମ ଗୁଡ଼ିକରେ ସକାଳୁ ହିଁ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ହେବା ପରେ ମେରୁ ତୋଟାରେ ହୋମ ଆଦି ଶେଷ ହେବା ସହ ପାଟ ଦଣ୍ଡୁଆଙ୍କୁ ଅଗ୍ନି ଉପରେ ଓଲଟା ଓହଲାଇ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

