ବୋଲଗଡ଼,୪।୧୧(ସୁଶାନ୍ତ କୁମାର ପ୍ରଧାନ):ଆଲୋକର ପର୍ବ ଦୀପାବଳି ଆସୁଛି। ସହର ବଜାର ଚାଇନା ଲାଇଟ୍ ର ରଙ୍ଗୀନ୍ ଆଲୋକରେ ଝଲସୁଥିବା ବେଳେ, ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତ ଦେଉଳି ଗ୍ରାମ କୁମ୍ଭାର ସାହିରେ କିନ୍ତୁ ମାଟିର ଆଲୋକ ଜଳିବାକୁ ପ୍ରସ୍ତୁତ ହେଉଛି। ଏଠି ୨୫ ଘର କୁମ୍ଭକାର ପରିବାର ଦିନ ରାତି ଏକ କରି ଦୀପ ଗଢ଼ିବାରେ ନିମଗ୍ନ। କୁମ୍ଭାର ଚକ ଘୁରୁଛି, ମାଟିରେ ଜୀବନ ଆସୁଛି। ପୁରୁଷ, ମହିଳା ଓ କୁନି ପିଲା – ସମସ୍ତଙ୍କ ହାତରେ ମାଟିର ମହକ। ୫୦ ପଇସାରୁ ଆରମ୍ଭ କରି ୫୦ ଟଙ୍କା ଯାଏଁ ଛୋଟ ବଡ଼ ରଙ୍ଗବେରଙ୍ଗର ଦୀପ ପ୍ରସ୍ତୁତ ହେଉଛି। ଯେତେ ଅଧିକ ଦୀପ ଗଢ଼ିବେ, ସେତେ ଅଧିକ ଦୁଇ ପଇସା ରୋଜଗାର ହେବ ଏହି ଆଶାରେ ସମସ୍ତେ ଲାଗି ପଡ଼ିଛନ୍ତି। ସ୍ଥାନୀୟ ତଥା ଆଖପାଖ ଜିଲ୍ଲାର ବେପାରୀ ମାନେ ଅର୍ଡର ଦେଇ ଓ ସିଧା ଆସି ଏହି ଦୀପ କିଣି ନେଉଛନ୍ତି।ଏହି କୌଳିକ ବୃତ୍ତି ଆଜି ମରଣ ଶଯ୍ୟାରେ। କଞ୍ଚାମାଲ ମଟାଳ ମାଟିର ଘୋର ଅଭାବ। ସାରା ଦିନ ଅଣ୍ଟା ଭାଙ୍ଗି ପରିଶ୍ରମ କଲେ ବି ମିଳୁନି ନ୍ୟାର୍ଯ୍ୟ ପାରିଶ୍ରମିକ। ଫଳରେ ଅନେକ ନିଜ ବାପା ଅଜାର ଏହି ପବିତ୍ର ବୃତ୍ତି ଛାଡି ଅନ୍ୟ ଧନ୍ଦାରେ ମନ ଦେଉଛନ୍ତି।ଗତ କିଛି ବର୍ଷ ଧରି ଶସ୍ତା ଚାଇନା ଦୀପ ବଜାର ଛାଇ ଦେଇଥିଲା, ମାଟି ଦୀପ ବିକ୍ରୀ ପ୍ରାୟ ବନ୍ଦ ହୋଇଯାଇଥିଲା। କିନ୍ତୁ ଏବେ ସରକାର ଚାଇନା ଦୀପକୁ ବ୍ୟାନ କରିଥିବାରୁ ପୁଣି ମାଟି ଦୀପର ଚାହିଦା ବଢିବ ବୋଲି ଆଶାର ଆଲୋକ ଦେଖିଛନ୍ତି ଏହି କୁମ୍ଭକାର ପରିବାର। ଅନ୍ୟ ଦିନରେ ଏହି ପରିବାରମାନେ ହାଣ୍ଡି, କୁଡୁଆ ଓ ଅନ୍ୟାନ୍ୟ ମାଟି ସାମଗ୍ରୀ ତିଆରି କରି ଗୁଜୁରାଣ ମେଣ୍ଟାନ୍ତି। ଏପରିକି ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିରକୁ ମଧ୍ୟ ସେମାନଙ୍କ ହାତ ତିଆରି ସାମଗ୍ରୀ ଯାଏ। ଏହା କେବଳ ବୃତ୍ତି ନୁହେଁ, ଏହା ଆମ ପରମ୍ପରା, ଆମ ସଂସ୍କୃତି। ତେବେ ଏହି ପରମ୍ପରାକୁ ବଞ୍ଚାଇ ରଖିବାକୁ ସରକାରୀ ପ୍ରୋତ୍ସାହନ ନାହିଁ, ଲାଭ ନାହିଁ। ଦିନକୁ ଦିନ ଏହି ପରିବାର ଅନ୍ୟ ଧନ୍ଦା ପ୍ରତି ଆକର୍ଷିତ ହେଉଛନ୍ତି। ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ସରକାର ଦୃଷ୍ଟି ଦେବାକୁ ଗୋପାଳପୁର ସମିତି ସଭ୍ୟ ତଥା ବ୍ଲକ ଉପାଧ୍ୟକ୍ଷ ରମେଶ ସାହୁ, ସରପଞ୍ଚ ପ୍ରଦୀପ ବାରିକଙ୍କ ସମେତ କୁମ୍ଭକାର ପରମାନନ୍ଦ ମୁଦୁଲି, ଦାଶରଥି ମୁଦୁଲି ଓ ସୁମିତ୍ରା ମୁଦୁଲି ନିବେଦନ କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଆମେ ମାଟି ଦୀପ ଜାଳିବା ନା ଚାଇନା ଲାଇଟ୍ ? ସଂସ୍କୃତି ବଞ୍ଚିବ ନା ବ୍ୟବସାୟ ? ନିଷ୍ପତ୍ତି ଆପଣଙ୍କର।

