ବୋଲଗଡ଼,୨୯/୦୬(ଜନବାଣି): ଆଜଉଁ ଏ ଦେବସ୍ନାନ ଜାତ। ଯେବେ ହୋଇବେ ଜଗନ୍ନାଥ।କେବଳ ହସ୍ତୀ ବେଶ ହୋଇ। ବିଜେ କରିବେ ଭାବଗ୍ରାହୀ।ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମାକୁ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା କୁହାଯାଏ।ଏହିଦିନ ସ୍ନାନ ମଣ୍ଡପରେ ଚତୁର୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ପହଣ୍ଡି ବିଜେ କରି ସାତ ପାହାଚ ଚଢ଼ି ସ୍ନାନ ମଣ୍ଡପ ଉପରକୁ ନିଆଯାଇ ଅଭିମନ୍ତ୍ରିତ ହୋଇଥିବା ଜଳରେ କୃଷ୍ଣଅଗୁରୁ , ଅଷ୍ଟଗନ୍ଧ , ଉଶିର , ଗୋରଚନା , ଦେବଦାରୁ , ମୁଥା , ହରିତାଳ , ଅଁଳା , ତାମ୍ରପର୍ଣ୍ଣି , ସୋମପର୍ଣ୍ଣି ଓ ଲୋଧା ମିଶ୍ରିତ କଳସୀ ଜଳରେ ସ୍ନାନ କରାଯାଏ।ସ୍ନାନ କାର୍ଯ୍ୟ ସମାପନ ହେଲାପରେ ଠାକୁର ମାନଙ୍କୁ ଗଜାନନ ବେଶ କରି ଭୋଗ ସମର୍ପଣ କରାଯାଏ । ଶାସ୍ତ୍ର ମତ ଅନୁସାରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ର ଆବିର୍ଭାବ ହୋଇଥିଲା। ତେଣୁ ଏହି ଦିନକୁ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ।ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ରେ ମହାପ୍ରଭୁଙ୍କ ପ୍ରଥମ ସ୍ନାନ ଲୀଳା ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଦର୍ଶନ କରୁଥିବାରୁ ଏହି ଲୀଳା କୁ ପତିତପାବନ ଲୀଳା କୁହାଯାଏ । ସେହିପରି ବେଗୁନିଆ ଓ ବୋଲଗଡ଼ ବ୍ଲକ ରେ ସମସ୍ତ ଗ୍ରାମାଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ଏହି ଦେବସ୍ନାନ ଯାତ୍ରା ନିରାଡ଼ମ୍ବର ରେ ଓ ପାରମ୍ପରିକ ରୀତି ନୀତି ରେ ପାଳନ କରାଯିବା ସହିତ ଶ୍ରଦ୍ଧାଳୁ ଭକ୍ତମାନେ ଆନନ୍ଦ ସହକାରେ ଦର୍ଶନ କରୁଛନ୍ତି। ପୂର୍ଣ୍ଣିମା ପରଠାରୁ ଠାକୁର ଅଣସର ଘରେ ରହୁଥିବାରୁ ଗ୍ରାମବାସୀମାନେ ରୀତିନୀତି ପାଳନ କରି ଠାକୁରଙ୍କୁ ବିଭିନ୍ନ ଫଳମୂଳ ଏବଂ ସ୍ୱତନ୍ତ୍ର ପଣା ଲାଗି କରାଯାଇଥାଏ। ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

