ଭଞ୍ଜନଗର,୧୧/୪:(ନିଲୁ ବିଷୋୟୀ) : ଗଞ୍ଜାମ ଜିଲ୍ଲାର ଘୁମୁସର ଅଞ୍ଚଳ ଶତାଧିକ ବର୍ଷ ଇତିହାସ ବହନ କରୁଥିବା ବେଳେ ଭଞ୍ଜ ରାଜବଂଶ ସମୟରେ ପ୍ରାୟ ୧୭୦୦ ଖ୍ରୀଷ୍ଟାଦ୍ଦରେ ନିର୍ମିତ ନାରାୟଣ ପାଟଣା ଗ୍ରାମରେ ଥିବା ନାରାୟଣ ସ୍ବାମୀଙ୍କ ମନ୍ଦିର ଆଜି ମଧ୍ୟ ତାର ସ୍ବତନ୍ତ୍ରତା ବଜାୟ ରଖିଛି। ବିଧି ବିଧାନରେ ଏଠାରେ ପୂଜାର୍ଚ୍ଚନା ହେଉଥିବା ବେଳେ ବର୍ତ୍ତମାନ ଦଣ୍ଡଯାତ୍ରା ସମୟରେ ଆଜି ଏହି ମନ୍ଦିର ପରିସରରେ ନାରାୟଣ ସ୍ୱାମୀ ଓ ଜିଲ୍ଲାର ପ୍ରସିଦ୍ଧ ମାଁ ଗାଲେରୀ ଦକ୍ଷିଣ କାଳୀଙ୍କ ଅପୂର୍ବ ମିଳନ ଅନୁଷ୍ଠିତ ହୋଇଛି। ପରିବର୍ତ୍ତିତ ଶୈଳୀରେ କିଛି ଦଣ୍ଡଯାତ୍ରା ଦଳରେ ପାଶ୍ଚାତ୍ୟକରଣ ପ୍ରବେଶ କରିଛି। ହେଲେ ଗାଲେରୀ ଦଣ୍ଡଯାତ୍ରା ଦଳକୁ ଆଧୁନିକତା ସ୍ପର୍ଶ କରିପାରିନି। ନିଷ୍ଠା ସହକାରେ ମା’ଙ୍କ ପୂଜା ଓ ପରମ୍ପରା ଚାଲିଆସିଛି। ଗାଲେରୀରେ ଦଣ୍ଡଯାତ୍ରା ପ୍ରକୃତରେ କେବେ ଆରମ୍ଭ ହୋଇଥିଲା। ଏନେଇ କିଛି ପ୍ରାମାଣିକ ତଥ୍ୟ ନଥିବା ବେଳେ ଇତିହାସକୁ ଅବଲୋକନ କଲେ ଜଣାପଡ଼େ, ଯେ ଏହି ଭଞ୍ଜବଂଶ ରାଜାଙ୍କ ଶାସନ ସମୟରେ ନିର୍ମିତ ଉକ୍ତ ନାରାୟଣ ମନ୍ଦିରକୁ ଦେବୀଙ୍କୁ ନିମନ୍ତ୍ରଣ କରାଯାଉଥିଲା। ସେହି ସମୟରୁ ହିଁ ଏଠାରେ ପୂଜାର୍ଚ୍ଚନା ହୋଇ ଆସୁଥିବା କୁହାଯାଇଛି। ଅନେକ ଉଭୟ ଦେବା ଦେବୀଙ୍କୁ ଭାଇ ଏବଂ ଭଉଣୀ ମଳିନ ବୋଲି ପ୍ରକାଶ କରୁଥିବା ବେଳେ ଆଜିର ଏହି ମିଳନ ସମୟରେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାମିଳନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,ନାରାୟଣ ସ୍ୱାମୀଙ୍କ ମନ୍ଦିର ଭିତରକୁ ଅତିନିଷ୍ଠାର ସହ ପୂଜା ହେଉଥିବା ଗାଲେରୀ ଦକ୍ଷିଣ କାଳୀ ଓ କାଳମ୍ବା ଦଣ୍ଡକାଳୀଙ୍କ ବ୍ୟତୀତ ଅନ୍ୟ କୌଣସି ଦଣ୍ଡକାଳୀ ମନ୍ଦିରକୁ ପ୍ରବେଶ କରିବାର ନିୟମ ନାହିଁ। ଦଣ୍ଡଯାତ୍ରା ସମୟରେ ହିଁ ଏଭଳି ମିଳନ ପର୍ବ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ମିଳନ ସମୟରେ ପୂଜକ ଉଭୟ ଦେବାଦେବୀଙ୍କୁ ଉପଚାର ପୂଜା କର୍ପୁର ଓ କାଠି ଆରତୀ କରିଥିଲେ। ଦେବା ଦେବୀଙ୍କ ବସ୍ତ୍ର ଆଦାନ ପ୍ରଦାନ ସହ ନାରାୟଣ ମନ୍ଦିର ପକ୍ଷରୁ ଭଉଣୀ ଭାବେ ଗାଲେରୀ କାଳୀଙ୍କୁ ଭାର ପ୍ରଦାନ କରିବାର ପରମ୍ପରା ରହିଛି। ଶ୍ରୀ ନାରାୟଣ ସ୍ୱାମୀ ଏବଂ ମାଁ ଗାଲେରୀ ଓ କାଳମ୍ବା କାଳୀ ଭାଇ ଭଉଣୀ ସମ୍ପର୍କ ବୋଲି ବୟୋଜ୍ୟେଷ୍ଟ ମାନେ ପ୍ରକାଶ କରନ୍ତି। ଏହି ମିଳନ ପର୍ବ ସମୟରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

