ବେଗୁନିଆପଡା,୨୯।୯(ବାପୁନି ମାଲୁ):ନୂଆ କୋଠା ନିର୍ମାଣ ସରିଛି। ଦେଢ଼ ବର୍ଷ ବିତିଗଲାଣି। ପୂଜାର୍ଚ୍ଚନା ମଧ୍ୟ ସରିଥିବା କୁହାଯାଉଛି। ହେଲେ ଲୋକଙ୍କ ସେବା ପାଇଁ ନିର୍ମିତ ମର୍ଦ୍ଦକୋଟ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଏଯାଏଁ ତାଲା ଖୋଲୁନି। ନୂଆ କୋଠା ଖାଲି ପଡ଼ିଥିବା ବେଳେ ଅନ୍ୟତ୍ର ଅସ୍ଥାୟୀ ଭାବେ ଚାଲିଛି କାର୍ଯ୍ୟାଳୟ। ଏହି ବିଚିତ୍ର ସ୍ଥିତି ଏବେ ବିଭାଗୀୟ ବ୍ୟବସ୍ଥା ଉପରେ ହିଁ ପ୍ରଶ୍ନ ଛିଡା କରିଛି । ବାରମ୍ବାର ଏହି ସମସ୍ୟା ସମ୍ପର୍କରେ ଖବର ପ୍ରକାଶ ପାଇଥିବା ସତ୍ତ୍ୱେ ମଧ୍ୟ କାର୍ଯ୍ୟାଳୟ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନାହିଁ, ତାହା ନେଇ ଏବେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି। ବିଭାଗୀୟ ଅଧିକାରୀମାନେ ଏହି ବିଳମ୍ବର କାରଣ ସ୍ପଷ୍ଟ କରିବେ କି? ନା କୌଣସି ଅଦୃଶ୍ୟ ଶକ୍ତିର ଚାପରେ ଅଟକି ରହିଛି କାର୍ଯ୍ୟାଳୟର ଉଦଘାଟନ ବା କାର୍ଯ୍ୟକ୍ଷମତା? ଯଦି ସେମିତି କିଛି ନାହିଁ, ତେବେ ଦେଢ଼ ବର୍ଷ ଧରି ଏହି ଅସ୍ୱାଭାବିକ ବିଳମ୍ବର କାରଣ କ’ଣ? ଏହାର ଜବାବ କିଏ ଦେବ? ତିନି ଖଣ୍ଡ ପଞ୍ଚାୟତର ପ୍ରାୟ ୨୪ଟି ଗାଁ ଏହି ରାଜସ୍ୱ ସର୍କଲ ଅଧୀନରେ ରହିଛି। ରାଜସ୍ୱ ସମ୍ପର୍କିତ କାମ ପାଇଁ ଲୋକଙ୍କୁ ପ୍ରାୟ ୨୦ କିଲୋମିଟର ଦୂରକୁ ଯିବାକୁ ପଡୁଛି । ବର୍ତ୍ତମାନ ନୂଆଗାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ଉପର ମହଲାରେ ଅସ୍ଥାୟୀ ଭାବେ ଏହି ସର୍କଲର କାମ ଚାଲିଥିବା ଜଣାପଡ଼ିଛି। ଯେତେବେଳେ ନୂଆ କୋଠା ନିର୍ମାଣ ଶେଷ ହୋଇସାରିଛି, ସେତେବେଳେ ଅସ୍ଥାୟୀ ବ୍ୟବସ୍ଥାକୁ ଏତେ ଦିନ ଧରି ଜାରି ରଖିବାର ଆବଶ୍ୟକତା କ’ଣ ? ଏହି ପ୍ରଶ୍ନର ଉତ୍ତର ମିଳୁନାହିଁ। ଲୋକଙ୍କ ସୁବିଧା ପାଇଁ ୧ କୋଟି ୩୬ ଲକ୍ଷ ଟଙ୍କାରେ ନିର୍ମିତ ଏକ ସରକାରୀ କାର୍ଯ୍ୟାଳୟ ଯଦି ନିର୍ମାଣ ପରେ ମଧ୍ୟ ଦୀର୍ଘ ସମୟ ଧରି ବ୍ୟବହାରରେ ଆସୁନାହିଁ, ତେବେ ଏହାର ଉଦ୍ଦେଶ୍ୟ ଓ ପ୍ରଶାସନିକ ଦାୟିତ୍ୱ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ନୂଆ କୋଠା ଥିଲେ ମଧ୍ୟ ଲୋକଙ୍କୁ ଦୂରଦୂରାନ୍ତକୁ ଯିବାକୁ ପଡ଼ିବା ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ଏବେ ବିଭାଗୀୟ ଅଧିକାରୀମାନେ ନିରବତା ଭାଙ୍ଗନ୍ତୁ, ବିଳମ୍ବର ପ୍ରକୃତ କାରଣ ସାର୍ବଜନୀନ କରନ୍ତୁ ଏବଂ ନୂଆ ମର୍ଦ୍ଦକୋଟ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

