ଖଜୁରୀପଡ଼ା,୧୭/୦୬(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ଆର୍. ନୂଆଗାଁ ଓ ଅରାପାଜୁ ପଞ୍ଚାୟତରେ ସୋମବାର ଅପରାହ୍ନରେ ଘଟିଥିବା ଭୟାବହ ବଜ୍ରାଘାତରେ ୭ଟି ଗୋରୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାରେ ଅନେକ ପଶୁପାଳକ ଓ ଚାଷୀ ପରିବାର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସରକାରୀ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।ସୂଚନା ଅନୁସାରେ, ଆଜି ଅପରାହ୍ନ ସମୟରେ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘନଘନ ବଜ୍ରପାତ ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଆର୍. ନୂଆଗାଁ ପ୍ରଧାନସାହି ଅଞ୍ଚଳରେ କିଛି ଗୋରୁ ପଣସ ଓ ବାଉଁଶ ଗଛତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ହଠାତ୍ ବଜ୍ରାଘାତ ଘଟିବାରୁ ୬ଟି ଗୋରୁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ମୃତ ଗୋରୁ ମଧ୍ୟରେ ୪ ଟି ବଳଦ ଥିବା ବେଳେ ୧ଗୋଟି ଗାଈ ଓ ୧ ଗୋଟି ବାଛୁରୀ । ସେହିପରି ଅରାପାଜୁ ପଞ୍ଚାୟତର ଦରଡା ଗ୍ରାମରେ ମଧ୍ୟ ବଜ୍ରାଘାତରେ ଆଉ ଏକ ଗୋରୁର ମୃତ୍ୟୁ ଘଟିଥିଲା। ମୃତ ଗୋରୁଗୁଡ଼ିକ ମଧ୍ୟରୁ ପ୍ରଭାକର ପ୍ରଧାନଙ୍କର ୧ଟି, ନିରଞ୍ଜନପ୍ରଧାନଙ୍କର ୨ଟି, ମୁକ୍ତେଶ୍ୱର ବେହେରାଙ୍କର ୨ଟି, ଅମିତ ବେହେରାଙ୍କର ୧ଟି ଏବଂ ଦରଡା ଗ୍ରାମର ଦାରୁ ଦିଗାଲଙ୍କର ୧ଟି ଗୋରୁ ଥିବା ଜଣାପଡ଼ିଛି। ଏହି ଅକାଳ ଘଟଣାରେ ପ୍ରଭାବିତ ପଶୁ ମାଲିକମାନେ ଭାରି ଆର୍ଥିକ କ୍ଷତି ସହିଛନ୍ତି। ବିଶେଷକରି ଚାଷ ଋତୁ ସମ୍ମୁଖୀନ ଥିବାବେଳେ ବଳଦମାନଙ୍କର ମୃତ୍ୟୁ ଚାଷ କାର୍ଯ୍ୟ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଚାଷୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଶୋକ ଓ ଚିନ୍ତାର ପରିବେଶ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଯୋଗ୍ୟ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

