ଭଞ୍ଜନଗର,୧୨/୪:(ନିଲୁ ବିଷୋୟୀ): ଚଳିତ ବର୍ଷ ଆସନ୍ତା ୧୬ ତାରିଖରୁ ପୁଣି ଆରମ୍ଭ ହେବ ଭଞ୍ଜନଗର ୱାଟର ପାର୍କ। ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ରହିଥିବା ଏହି ୱାଟର ପାର୍କ ଦୁଇବର୍ଷ ତଳେ ଶୁଭାରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଯାନ୍ତ୍ରିକ ତ୍ରୁଟି ନିମନ୍ତେ କିଛି ମାସ ଚାଲିବା ପରେ ବନ୍ଦ ହୋଇଥିଲା। ଫଳରେ ବାହାରୁ ଆସୁଥିବା ପର୍ଯ୍ୟଟକ ନିରାଶ ହୋଇ ଫେରୁଥିଲେ। ଏହାର ସମସ୍ୟା ସମାଧାନ ପରେ ଗତବର୍ଷ ମେ ମାସରେ ପୁଣି କାର୍ଯ୍ୟକ୍ଷମ ହୋଇଥିଲା। ତେବେ ବର୍ଷାଋତୁ ଆରମ୍ଭ ହେବା ପରେ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା। ଏହାପରେ ପାର୍କ କର୍ତ୍ତୃପକ୍ଷ ଏହାକୁ ବନ୍ଦ କରି ଦେଇଥିଲେ। ଖରା ଆରମ୍ଭ ହେବା ସମୟରେ ଏହାକୁ ଚାଲୁ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବନ୍ଦ ରହିବା ଯୋଗୁ କିଛି ଯନ୍ତ୍ରାଂଶରେ ସମସ୍ୟା ଦେଖା ଦେଇଥିଲା। ଏହାପରେ କଲିକତାରୁ ମେକାନିକ ଆସି ସଜାଡିବା ପରେ ଏହାକୁ ଆସନ୍ତା ୧୬ ତାରିଖରୁ ପୁଣି ଥରେ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜଳ ସମ୍ପଦ ବିଭାଗ ପକ୍ଷରୁ ହୋଇଥିବା ଏହି ୱାଟର ପାର୍କରେ ଭାସମାନ ପୁଲ୍ ସହ ସ୍ଲାଇଡିଂ ପୁଲ୍, ରେନବୋ ଏରିଆ, ପାଣି ଖସଡା, ପିଲାଙ୍କ ପାଣିରେ ଖେଳିବା ପାଇଁ ଭଳି ବିଭିନ୍ନ ପାଣିରେ ଖେଳି ମନୋରଞ୍ଜନ ହେବା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଏଥିସହ ପାର୍କ ଭିତରେ ଲନ୍ ସହ ବସି ପ୍ରାକୃତିକ ପରିବେଶର ମଜା ନେବା ପାଇଁ ବ୍ୟବସ୍ଥା ରହିଛି। ସୋମବାର ବ୍ୟତୀତ ଅନ୍ୟଦିନେ ଖୋଲା ରହୁଥିବା ବେଳେ ସକାଳ ୧୦ ଟାରୁ ୩ ଟା ଯାଏଁ ଖୋଲା ରହିବ। ଆଗାମୀ ଦିନରେ ଭଞ୍ଜନଗରରେ ଠାକୁରାଣୀ ଯାତ୍ରା ହେଉଥିବା ବେଳେ ପ୍ରବଳ ଭିଡ ହେବ ବୋଲି କୁହାଯାଇଛି।

