ନବରଙ୍ଗପୁର,୨୪/୦୮(ଶେଖର ଖୁରା):ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧା, ସମ୍ମାନ ଓ ଦେଶପ୍ରେମର ଭାବନାରେ ଶହୀଦ ସ୍ମୃତି ଦିବସ ପାଳିତ ହୋଇଛି। ମାତୃଭୂମିର ସୁରକ୍ଷା, ସ୍ୱାଧୀନତା ଓ ଜନସାଧାରଣଙ୍କ ଅଧିକାର ପାଇଁ ଜୀବନ ଉତ୍ସର୍ଗ କରିଥିବା ଅମର ଶହୀଦମାନଙ୍କ ତ୍ୟାଗ, ସାହସ, ବୀରତ୍ୱ ଓ ଦେଶପ୍ରେମକୁ ଏହି ଅବସରରେ ସ୍ମରଣ କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ସମ୍ପ୍ରଦାୟ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିଲେ। ସେ ତୁରୀ ନଦୀ କୂଳରେ ଅବସ୍ଥିତ ଶହୀଦ ସ୍ତମ୍ଭ ଓ ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ତୁରୀ ନଦୀରେ ତିଳତର୍ପଣ କରାଯାଇଥିଲା।ଏହି ଅବସରରେ ଆୟୋଜିତ ମଶାଲ ଶୋଭାଯାତ୍ରାରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭତରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବାସନ୍ତୀ ମାଝୀ, ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ, ବ୍ଲକ୍ ଅଧ୍ୟକ୍ଷା ହେମଲତା ମାଝୀ, ବ୍ଲକ୍ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ରାଜପୁରୋହିତ ନରସିଂହ ତ୍ରିପାଠୀ, ରାଜ୍ୟ ଶହୀଦ ସ୍ମୃତି କମିଟି ଅଧ୍ୟକ୍ଷ ମୁନା ତ୍ରିପାଠୀ ଓ ଜିଲ୍ଲା ଶହୀଦ ସ୍ମୃତି କମିଟି ଅଧ୍ୟକ୍ଷ ସିରାଜ୍ ଅହମ୍ମଦ ପ୍ରମୁଖ ଯୋଗଦେଇଥିଲେ।ଶୋଭାଯାତ୍ରାରେ ପାପଡ଼ାହାଣ୍ଡି ଅଞ୍ଚଳର ଜନସାଧାରଣ, ଶହୀଦ ପରିବାରର ଦାୟାଦ, ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇ ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ପଞ୍ଚାୟତ ସମିତି ପରିସରରେ ଅନୁଷ୍ଠିତ ସ୍ମୃତିସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାପଡ଼ାହାଣ୍ଡି ଶହୀଦ ସ୍ମାରକକୁ ନବରଙ୍ଗପୁର ଜିଲ୍ଲାର ଗୌରବମୟ ଐତିହ୍ୟ, ଦେଶପ୍ରେମ ଓ ଶହୀଦମାନଙ୍କ ଅମର ତ୍ୟାଗର ପବିତ୍ର ପ୍ରତୀକ ବୋଲି କହିଥିଲେ। ଶହୀଦମାନଙ୍କ ତ୍ୟାଗକୁ କେବଳ ସ୍ମରଣ ନକରି ସେମାନଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସେ ମତ ପ୍ରକାଶ କରିଥିଲେ।ପାପଡ଼ାହାଣ୍ଡିର ମାଟିରେ ବଳିଦାନ ଦେଇଥିବା ୧୯ ଜଣ ଅମର ଶହୀଦଙ୍କ ନାମ ଓ ତ୍ୟାଗକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। ଏଥିସହ ଶହୀଦ ସ୍ମାରକୀ ନିର୍ମାଣ, ଐତିହ୍ୟବହୁଳ ବରପୁତ୍ରଙ୍କ ଗାଁର ବିକାଶ, ଶହୀଦ ପରିବାରର ଦାୟାଦମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ, ମେଡିକାଲ କଲେଜ, ସ୍ପୋର୍ଟସ କମ୍ପ୍ଲେକ୍ସ, ଅଟଳ ବସଷ୍ଟାଣ୍ଡ, ବ୍ଲକ୍ ଷ୍ଟାଡିୟମ୍ ଓ ଆଦିବାସୀ ଭବନ ନିର୍ମାଣ ଭଳି ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉଲ୍ଲେଖ କରି ନବରଙ୍ଗପୁର ଜିଲ୍ଲାର ଦ୍ରୁତ ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଥିଲେ।ନବରଙ୍ଗପୁର ବିଧାୟକ ପ୍ରତ୍ୟେକ ଶହୀଦଙ୍କ ଗ୍ରାମରେ ଶହୀଦ ସ୍ତମ୍ଭ ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା କହିଥିଲେ। ସଭାର ଅଧ୍ୟକ୍ଷ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଶହୀଦମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ପାପଡ଼ାହାଣ୍ଡି ଅଞ୍ଚଳର ବିକାଶ ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ଜୁନାଗଡ଼-ନବରଙ୍ଗପୁର ରେଳପଥରେ ପାପଡ଼ାହାଣ୍ଡି ରେଳଷ୍ଟେସନ ସ୍ଥାପନ, ଭବ୍ୟ ଶହୀଦ ସ୍ମାରକୀ ନିର୍ମାଣ, ପାପଡ଼ାହାଣ୍ଡି ମୁଖ୍ୟ ଛକକୁ ‘ଶହୀଦ ଚୌକ’ ଭାବେ ବିକଶିତ କରିବା ଏବଂ ପାପଡ଼ାହାଣ୍ଡି-ନବରଙ୍ଗପୁର ଏନ୍ଏଚ୍ କଡ଼ରେ ଆଲୋକୀକରଣ ପାଇଁ ପ୍ରଶାସନିକ ଉଦ୍ୟମ ଆରମ୍ଭ ହୋଇଥିବା ସେ କହିଥିଲେ।ସ୍ମୃତିସଭାରେ ମୁଖ୍ୟ ଅତିଥି ଶହୀଦ ଓ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟାଦମାନଙ୍କୁ ଉପଢ଼ୌକନ ଓ ତାଣ୍ଡିସୁତା ପ୍ରଦାନ କରି ସମ୍ମାନିତ କରିଥିଲେ।ଏହି ଅବସରରେ ବ୍ଲକ୍ ଉପାଧ୍ୟକ୍ଷ ସୁଶାନ୍ତ ବେହେରା ଶହୀଦ ସ୍ମାରକୀ ନିର୍ମାଣର ଇତିହାସ ଓ ସ୍ୱାଧୀନତା ସଂଗ୍ରାମରେ ପାପଡ଼ାହାଣ୍ଡି ମାଟିର ଗୌରବ ସମ୍ପର୍କରେ ତଥ୍ୟ ରଖିଥିଲେ। ବିଡିଓ କପିଳଦେବ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ନଗେନ୍ଦ୍ର ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ଶହୀଦମାନଙ୍କ ଜୀବନ, ତ୍ୟାଗ, ସାହସ, ବୀରତ୍ୱ ଓ ଦେଶପ୍ରେମ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ଶହୀଦମାନଙ୍କ ବଳିଦାନ କେବଳ ଇତିହାସର ଏକ ଅଧ୍ୟାୟ ନୁହେଁ, ଏହା ଆଜିର ଯୁବପିଢ଼ି ଓ ସମଗ୍ର ସମାଜ ପାଇଁ ଅମୂଲ୍ୟ ପ୍ରେରଣା ବୋଲି ମତ ପ୍ରକାଶ ପାଇଥିଲା।ପାପଡ଼ାହାଣ୍ଡିର ଏହି ଶହୀଦ ପୀଠ ନବରଙ୍ଗପୁର ଜିଲ୍ଲାର ଇତିହାସ ଓ ଗୌରବର ଅବିଚ୍ଛିନ୍ନ ଅଂଶ। ପ୍ରତିବର୍ଷ ଶହୀଦ ସ୍ମୃତି ଦିବସ ପାଳନ ମାଧ୍ୟମରେ ଜିଲ୍ଲାବାସୀ ଅମର ଶହୀଦମାନଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ଜଣାଇ ଆସୁଛନ୍ତି।

