ଗଜପତି,୦୧/୦୬,(ଟିକି ଲିମା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଅକାଳ ବଜ୍ରପାତ ଯୋଗୁଁ ଅଘଟଣ। ଘରେ ଥିବା ସମୟରେ ବଜ୍ରପାତରେ ଆହତ ହୋଇଛନ୍ତି ।ଆହତ ମାନେ ହେଲେ ତାଲାଜିଙ୍ଗ ଗ୍ରାମର ମନିକା ମଣ୍ଡଳ,ଜୁସ୍ପା ମଣ୍ଡଳ,ଜୁସ୍ଟିଲା ମଣ୍ଡଳ ଓ ଖିଲିମୁଣ୍ଡା ଗ୍ରାମର ରିବିକା ଶବର। ଆହତମାନଙ୍କୁ ଉଦ୍ଧାର କରି ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଅପରାହ୍ନରେ ହଠାତ୍ ପାଗ ବଦଳିବା ସହ ବର୍ଷା ଏବଂ ଘଡ଼ଘଡ଼ି ସୃଷ୍ଟି ହୋଇଥିଲା। ଏହି ସମୟରେ ଏହି ଚାରି ଜଣ ନିଜ ଘରେ ଥିବା ବେଳେ ନିକଟସ୍ଥ ଅଞ୍ଚଳରେ ବଜ୍ରପାତ ଘଟିଥିଲା। ଫଳରେ ବଜ୍ରପାତର ପ୍ରଭାବରେ ଆହତ ହୋଇଥିବା ଜଣାପଡ଼ିଛି।ଘଟଣା ପରେ ପରିବାର ଲୋକ ଏବଂ ଗ୍ରାମବାସୀମାନେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।ବର୍ଷା ଋତୁ ଆରମ୍ଭ ହେଉଥିବାରୁ ବଜ୍ରପାତ ସମୟରେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପୂର୍ବରୁ ପରାମର୍ଶ ଦିଆଯାଇଥିବା ବେଳେ, ଆଜିର ଏହି ଘଟଣା ପୁଣିଥରେ ସମସ୍ତଙ୍କୁ ସଚେତନ ରହିବାର ବାର୍ତ୍ତା ଦେଇଛି।

