ବେଲଗୁଣ୍ଠା,୧୬/୭(ଶିବରାମ ଚୌଧୁରୀ):ବେଲଗୁଣ୍ଠା ସହର ସମେତ ବ୍ଳକର ବିଭିନ୍ନ ଗ୍ରାମରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅତି ଧୂମଧାମ ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ବିଶେଷ କରି ବେଲଗୁଣ୍ଠା ସହରର ସ୍ୱତନ୍ତ୍ରତା ବହନ କରୁଥିବା ଆକର୍ଷଣୀୟ ‘ଝରା’ ବା ‘ଟାହିବା’ ଦେଖିବାକୁ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ପେଣ୍ଠ ସାହି ଓ ବାଲିରସାହିରେ ଦୁଇ ଦଧିବାମନଜିଉ ତଥା ମହାପ୍ରଭୁ ଜଗନ୍ନାଥ ଅପରାହ୍ଣ ଚାରିଟାରୁ ଛଅଟା ମଧ୍ୟରେ ରଥାରୁଢ଼ ହୋଇଥିଲେ। ଆଜି କିଛି ସମୟ ରଥ ଟଣା ହେବା ପରେ ରଥ ଅଟକି ରହିଥିବା ବେଳେ ଆସନ୍ତାକାଲି ପୁଣି ରଥ ଟଣାଯିବ ବୋଲି ଜଣାପଡିଛି। ମହାପ୍ରଭୁଙ୍କ ରଥାରୁଢ଼ ସମୟରେ ପାଗ ଶ୍ରଦ୍ଧାଳୁଙ୍କ ପାଇଁ ବେଶ୍ ଅନୁକୂଳ ଥିବା ବେଳେ ଏହି ଯାତ୍ରା ଅବସରରେ ବେଲଗୁଣ୍ଠାର ପ୍ରସିଦ୍ଧ ମିଠା ‘ହଲୁଆ’ ଓ ‘ଦ୍ରାକ୍ଷା’ ଦୋକାନଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଗହଳି ହୋଇଥିଲା ଏବଂ ବ୍ୟବସାୟ ବେଶ୍ ଜମିଥିଲା।ଅନ୍ୟପଟେ ବ୍ଳକ୍ର ଗୋବରା ଗ୍ରାମରେ କମିଟି ମୁଖ୍ୟ ରାମକୃଷ୍ଣ ପାତ୍ରଙ୍କ ପୌରୋହିତ୍ୟରେ ଭକ୍ତିପୂତ ପରିବେଶରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ଣ ଦୁଇଟା ପରେ ଜଗନ୍ନାଥ ମନ୍ଦିର ମଣ୍ଡପରେ ହୋମ ଯଜ୍ଞ କରାଯାଇ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା, ରଥ ପରିକ୍ରମା ଏବଂ ପହଣ୍ଡି ବିଜେ କରାଯାଇଥିଲା ଓ ସନ୍ଧ୍ୟା ପାଞ୍ଚଟା ପରେ ରଥ ଟଣା ନୀତି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୋହିତ ଭାବେ ତପନ ଶତପଥୀ ଏବଂ କାହ୍ନୁ ଚରଣ ହୋତା ଯୋଗ ଦେଇଥିବା ବେଳେ ପୂଜକ ରାମଚନ୍ଦ୍ର ପାତ୍ରଙ୍କ ସମେତ ସମସ୍ତ ଗ୍ରାମ୍ୟ କମିଟି ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। କାରିଗର ରବି ମହାରଣା ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ନିର୍ମିତ ଏହି ରଥ ଆଜି ଅଧା ରାସ୍ତାରେ ଅଟକି ରହିଥିବା ବେଳେ ଆସନ୍ତାକାଲି ମହାପ୍ରଭୁ ମାଉସୀ ମାଆ ମନ୍ଦିରକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଛି।ସେହିପରି ବେଣୀପଲ୍ଲୀ ଗ୍ରାମରେ ବହୁ ବର୍ଷ ପରେ ଏକ ନୂତନ ରଥ ପ୍ରାଣ ପ୍ରତିଷ୍ଠା କରାଯାଇ ରଥଯାତ୍ରା ଆୟୋଜନ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଥିଲା। ଏହା ବ୍ୟତୀତ ବ୍ଳକ୍ର ଅନ୍ୟାନ୍ୟ ପ୍ରମୁଖ ଗ୍ରାମ ଯେପରିକି ଜୟନ୍ତୀଗଡ଼, ପାଇଲିପଡ଼ା ଏବଂ ମାଧବରୀଡା ଗ୍ରାମରେ ମଧ୍ୟ ଆଜି ସନ୍ଧ୍ୟା ସମୟରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ମହାପ୍ରଭୁଙ୍କ ରଥଟଣା ନୀତି ସୂଚାରୁରୂପେ ସମ୍ପନ୍ନ ହୋଇଛି। ପ୍ରତିଟି ସ୍ଥାନରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଦଉଡ଼ି ଛୁଇଁବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।ଏହି ବିଶାଳ ଯାତ୍ରା ସମୟରେ ସହର ତଥା ଗ୍ରାମାଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ପୋଲିସ ଏବଂ ଗାଙ୍ଗପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ଏବଂ ଅତିରିକ୍ତ ଥାନାଧିକାରୀ ସାରାଲତା ପ୍ରଧାନଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ସମଗ୍ର ଅଞ୍ଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ଏଥି ସହିତ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ନିଜେ ବିଭିନ୍ନ ଗ୍ରାମ ପରିଦର୍ଶନ କରି ରଥଯାତ୍ରାର ସମସ୍ତ ବ୍ୟବସ୍ଥାର ପ୍ରତ୍ୟକ୍ଷ ତଦାରଖ କରିଥିଲେ, ଯାହା ଫଳରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।

