ରାୟଗଡ,୧୭।୮(ଅମୂଲ୍ୟ ନିଶଙ୍କ):ରାୟଗଡ଼ା ବିଧାୟକ ଆପ୍ପାଲସ୍ୱାମୀ କାଡ୍ରକା ରାୟଗଡ ପୌରପରିଷଦର ୧୬ ନମ୍ବର ୱାର୍ଡ ଅନ୍ତର୍ଗତ ଇନ୍ଦିରାନଗର ଅଞ୍ଚଳର ୨୭ଟି ବସ୍ତି ପରିଦର୍ଶନ କରିଥିଲେ l ସୂଚନା ଯୋଗ୍ୟଯେ ବସ୍ତି ଉଛେଦ ପାଇଁ ନୋଟିସ ପାଇଥିବା ବସ୍ତିବାସିନ୍ଦାମାନେ ବିଧାୟକ ଙ୍କୁ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଆଜି ବିଧାୟକ ଇନ୍ଦିରାନଗର ବସ୍ତି ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ବସ୍ତିବାସିନ୍ଦାମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ବସ୍ତିରେ ବସବାସ କରୁଥିବା ସମସ୍ତ ପରିବାର ସହରର ବିଭିନ୍ନ ଘରେ ଦିନମଜୁରୀ ଓ ଘରୋଇ କାମ କରି ନିଜର ଜୀବନ ଓ ଜୀବିକା ନିର୍ବାହ କରୁଛନ୍ତି। ୨୦୧୧ ମସିହାରେ ତତ୍କାଳୀନ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ନାଗାବଳୀ ନଦୀକୂଳରେ ଏହି ବସ୍ତି ସ୍ଥାପିତ ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସାହି ଆଲୋକ ଭଳି ବିଭିନ୍ନ ମୌଳିକ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ରାଜସ୍ୱ ବିଭାଗ ପକ୍ଷରୁ ବସ୍ତି ଉଚ୍ଛେଦ ନିମନ୍ତେ ବାରମ୍ବାର ନୋଟିସ ଜାରି କରାଯାଉଥିବାରୁ ଏଠାରେ ବସବାସ କରୁଥିବା ଗରିବ ଓ ଖଟିଖିଆ ପରିବାରଗୁଡ଼ିକ ଗଭୀର ଚିନ୍ତାରେ ଅଛନ୍ତି। ମୋର ଅନୁରୋଧ ଏହି ଗରିବ ଓ ଦିନମଜୁରୀଆ ପରିବାରଗୁଡ଼ିକୁ ହଠାତ୍ ବାସହରା କରାନଯାଉ। ଯଦି ବସ୍ତି ଉଚ୍ଛେଦ କରିବେ ତେବେ ପ୍ରଥମେ ସରକାରଙ୍କ ନିୟମ ଅନୁଯାୟୀ ସେମାନଙ୍କ ଥଇଥାନ ପାଇଁ ଉପଯୁକ୍ତ ଆବାସ ଗୃହ ନିର୍ମାଣ କରାଯାଉ। ଥଇଥାନର ସୁନିଶ୍ଚିତ ବ୍ୟବସ୍ଥା କରିବା ପରେ ହିଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଉ। ଗରିବ ଲୋକଙ୍କ ମୁଣ୍ଡ ଉପରୁ ଛାତ ଛଡ଼ାଇ ନେବା ନୁହେଁ, ବରଂ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ହେଉଛି ଏକ ଜନମୁଖୀ ସରକାରର ଦାୟିତ୍ୱ। ଥଇଥାନର ସୁବ୍ୟବସ୍ଥା କରାଯାଇ ଯଦି ଉଚ୍ଛେଦ ପ୍ରକ୍ରିୟା କରାଯାଏ, ତେବେ ମୁଁ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ନିଶ୍ଚିତ ଭାବେ ସହଯୋଗ କରିବି। ତେଣୁ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ମୋର ନିବେଦନ ଏହି ଗରିବ ଦିନମଜୁରୀଆ ପରିବାରମାନଙ୍କ ମୁଣ୍ଡ ଉପରୁ ଛାତ ଛଡ଼ାଇ ନିଅନ୍ତୁ ନାହିଁ ଏବଂ ସେମାନଙ୍କ ଜୀବିକାର ପଥକୁ ବନ୍ଦ କରନ୍ତୁ ନାହିଁ। ପ୍ରଥମେ ଥଇଥାନ, ପରେ ଉଚ୍ଛେଦ ନିତି ଗ୍ରହଣ କରାଯାଉ ବୋଲି ବିଧାୟକ ସରକାର ଓ ଜ଼ିଲ୍ଲା ପ୍ରସାଶନ କୁ ଜଣାଇଛନ୍ତି l

