ବୁଗୁଡ଼ା,୨୪।୦୯(ପୂର୍ଣ୍ଣ ଚନ୍ଦ୍ର ବାରିକ):ବାତ୍ୟାଜନିତ ଅବପାତର ପ୍ରଭାବରେ ବୁଗୁଡ଼ା ଅଞ୍ଚଳରେ ଲଗାତାର ବର୍ଷା ଓ ପବନ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପରିବା ଚାଷ ଏବଂ ଧାନ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କାରେ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି। ଅନେକ ଧାନ ବିଲରେ ବର୍ଷାଜଳ ଜମି ରହିଥିବାରୁ ଫସଲର ଅବସ୍ଥା ନେଇ କୃଷକମାନେ ଚିନ୍ତିତ ଅଛନ୍ତି। ଗତ କିଛି ଦିନ ଧରି ମେଘୁଆ ପାଗ ସହ ଝିପିଝିପି ବର୍ଷା ଓ କେତେକ ସମୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଲଗାତାର ବର୍ଷା ଯୋଗୁଁ ବଜାର, ବସଷ୍ଟାଣ୍ଡ ଏବଂ ବିଭିନ୍ନ କାର୍ଯ୍ୟାଳୟରେ ମଧ୍ୟ ସାଧାରଣ ଦିନ ତୁଳନାରେ ଲୋକଙ୍କ ଗହଳି କମ୍ ଦେଖିବାକୁ ମିଳିଛି। ରାସ୍ତାଘାଟରେ ଯାନବାହନ ଚଳାଚଳ ଓ ଲୋକଙ୍କ ଯାତାୟାତ ମଧ୍ୟ ହ୍ରାସ ପାଇଥିବା ବେଳେ ବୁଗୁଡ଼ା ଆଖପାଖ ଗ୍ରାମାଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ସ୍ପଷ୍ଟ ଭାବେ ଅନୁଭୂତ ହେଉଛି। ଚାଷ ଜମିରେ ପାଣି ଜମି ରହିଥିବାରୁ କୃଷକମାନେ ପାଗ ସୁଧୁରିବାକୁ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ, ବାତ୍ୟାଜନିତ ଯେକୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସତର୍କ ରହିଥିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି। ସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

