ଚିକିଟି,୩୦।୧୦(ନିଗମାନନ୍ଦ ପଣ୍ଡା):ଆସନ୍ନ ବାତ୍ୟା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଚିକିଟି ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏ ନେଇ ଶୁକ୍ରବାର ବ୍ଲକ ସଭାଗୃହରେ ବିଡିଓଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ହୋଇଥିଲା। ଏଥିରେ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗଦେଇ ବାତ୍ୟା ମୁକାବିଲା ରଣନୀତି ଉପରେ ଆଲୋଚନା କରିଥିଲେ।ବିଶେଷକରି ବାହୁଦା ନଦୀର ଜଳସ୍ତର ବୃଦ୍ଧି ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗଦଳା, କୃଷ୍ଣପୁର, ମାଇସାନପୁର ଓ ଖରଖରିଆ ଭଳି ତଳିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିଷ୍ପତ୍ତି ହୋଇଥିଲା। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହ ସେଠାରେ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଥିଲା।ଏଥିସହ ନଦୀ ନିକଟକୁ ନଯିବା, ଆନିକଟ ଉପରେ ଯାତାୟାତ ନକରିବା ଏବଂ ବିପଦପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ଲୋକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜରୁରୀକାଳୀନ ସ୍ଥିତିରେ ତ୍ୱରିତ ସହାୟତା ଯୋଗାଇବା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସକ୍ରିୟ ରଖାଯାଇଛି।ପୂର୍ବ ବନ୍ୟାର ଅନୁଭୂତିକୁ ଆଧାର କରି ଏଥର ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଲୋକେ ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ସତର୍କ ରହିବାକୁ ବିଡିଓ ନିବେଦନ କରିଛନ୍ତି।

