ପୋଲସରା, ୧୩/୪:(ଶିବ ପ୍ରସାଦ ସାହୁ):ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଢୁଙ୍କାପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବିଦ୍ୟୁତ ଖୁଣ୍ଟ ରେ ଚଢି କାମକରୁଥିବା ବେଳେ ବିଦ୍ୟୁତ ଆଘାତ ରେ ଜଣେ ଠିକା କର୍ମଚାରୀ ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଢୁଙ୍କାପଡା ଗ୍ରାମର ୨୭ ବର୍ଷୀୟ ସୁଶାନ୍ତ ଗୌଡ଼। ଠିକା ବିଦ୍ୟୁତ କର୍ମଚାରୀ ସୁଶାନ୍ତ ର ମୃତ୍ୟୁ ପାଇଁ ଦାୟୀ କିଏ? ଅନସ୍କିଲ ବ୍ୟକ୍ତିଙ୍କୁ ବିଦ୍ୟୁତ କାମ କରିବା ପାଇଁ ପୋଲ ଉପରକୁ ପଠାଯାଉଥିଲା କାହିଁକି? ଏହା ଏବେ ପ୍ରଶ୍ନବାଚୀ ହୋଇଉଠିଛି।।ସୂଚନା ମୁତାବକ ସୁଶାନ୍ତ ଢୁଙ୍କପଡା ହରିଜନ ସାହିରେ ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ଭୁଲ ବଶତଃ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଏଭଳି ଦୁର୍ଘଟଣା ର ଶିକାର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ବାସିନ୍ଦା ତୁରନ୍ତ ସୁଶାନ୍ତ କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛି। ନିଜର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ସଦସ୍ୟ ସମ୍ପୂର୍ଣ ଭାଂଗିପଡ଼ିଥିବା ବେଳେ ପୋଲସରା ମେଡିକାଲ ରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ସୁଶାନ୍ତ ପାଖାପାଖି ୧୦ ବର୍ଷ ହେବ ଠିକା କର୍ମଚାରୀ ଭାବେ ବିଦ୍ୟୁତ ବିଭାଗରେ କାମ କରି ଆସୁଥିଲେ।ପୋଲସରା ପୁଲିସ ମେଡିକାଲ ରେ ପହଂଚି ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି। ସୋମବାର ଶବ ବ୍ୟବଛେଦ ଲାଗି ବ୍ରହ୍ମପୁର ପଠାଯିବ।

