ବୁଗୁଡ଼ା, ୦୨/୦୬(ଡ.କୁମୁଦ ଚନ୍ଦ୍ର ବେହେରା):ବିକଶିତ ଗାଁ, ବିକଶିତ ଓଡିଶା ନାରା ଦେଇ ଶାସନ କରୁଥିବା ବିଜେପି ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିଜ ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତରେ ଦୁଇ ବର୍ଷ ହେଲା ଉନ୍ନତିମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ବିଡିଓ ଦୁତିକୃଷ୍ଣ ପାତ୍ରଙ୍କୁ ଏକ ଅଭିଯୋଗ ପ୍ରଦାନ କରାଯାଇଥିବା ଘଟଣା ସମ୍ପ୍ରତି ଅଞ୍ଚଳରେ ରାଜନୈତିକ ହଟଚମଟ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ଆସ୍କା ସାଂସଦଙ୍କ ବ୍ଲକ ପ୍ରତିନିଧି ଉତ୍ତମ କୁମାର ଦାଶଙ୍କ ସମେତ ବିକ୍ଷୋଭ ପ୍ରଦର୍ଶନକାରୀ ପଞ୍ଚାୟତବାସୀଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଆଦିପୁର ଗ୍ରାମବାସିନ୍ଦା ଜଟେଶ୍ବର ମହାନ୍ତିଙ୍କ ଦ୍ଵାରା ବିଡିଓଙ୍କୁ ପ୍ରଦାନ କରାଯାଇଥିଲା । ଅଭିଯୋଗ ଅନୁଯାୟୀ ସ୍ଥାନୀୟ ବ୍ଲକ ପ୍ରଶାସନର ଅସହଯୋଗ ଓ ଅନାଗ୍ରହ ଯୋଗୁଁ ଦୁଇ ବର୍ଷ ହେଲା ବିରଞ୍ଚିପୁର ପଞ୍ଚାୟତରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନାହିଁ। ବିଶେଷକରି ପଞ୍ଚାୟତର ଏକ ବଡ ଗ୍ରାମ ଆଦିପୁରକୁ ଉଦ୍ଦେଶ୍ଯମୂଳକ ଭାବେ ଅଣଦେଖା କରାଯାଉଛି ଯାହାକି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି କାର୍ଯ୍ୟକଳାପ ଅତ୍ଯନ୍ତ ଅଶୋଭନୀୟ ଅଟେ। ଏପରିକି ଗ୍ରାମରେ ଗାଡିଟିଏ ମୋରମ ଅତି ଜରୁରୀ ହେଲେ ତାହା ଚାନ୍ଦା କରି ପକାଇବାକୁ ପଡୁଛି। ତେବେ ଅଭିଯୋଗ ପତ୍ର ପ୍ରଦାନ କାଳରେ ଯଥାଶୀଘ୍ର ସମୀକ୍ଷା ସାଙ୍ଗକୁ ପୂର୍ଣ୍ଣ ସହଯୋଗ ପୂର୍ବକ ସରକାରୀ ଆର୍ଥିକ ଅନୁଦାନ ଯୋଗାଇ ପଞ୍ଚାୟତର ଉନ୍ନତିକରଣ ନିମନ୍ତେ ନିବେଦନ କରିବା ସହ ଯଦି ଏଥିରେ ବ୍ଯତିକ୍ରମ ଘଟେ ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିବା ବେଳେ ସାତ ଦିନ ମଧ୍ୟରେ ଏହାର ମୀମାଂସା କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ଅନ୍ଯପକ୍ଷରେ ବିଡିଓଙ୍କୁ ତାଙ୍କର ପ୍ରକୋଷ୍ଠରେ ଅଭିଯୋଗ ପତ୍ର ପ୍ରଦାନ ପରେ ପଞ୍ଚାୟତର କେତେକ ବିକ୍ଷୋଭକାରୀ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସ୍ବ ସ୍ବ ପ୍ରତିକ୍ରିୟାରେ ସ୍ଥାନୀୟ ମନ୍ତ୍ରୀଙ୍କ କାର୍ଯ୍ୟକଳାପ ପ୍ରତି ଅସନ୍ତୋଷ ଜାହିର କରିବା ଦେଖିବାକୁ ମିଳିଥିଲା। ପ୍ରକାଶ ଯୋଗ୍ୟ ଯେ, ବୁଗୁଡ଼ା ବ୍ଲକର ୨୧ ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତରେ ସ୍ଥାନୀୟ ପ୍ରଶାସନର ଅସହଯୋଗ ଯୋଗୁଁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ଘଟୁଥିବା ନେଇ ପ୍ରାକ୍ତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ବରେ ଏକ ଦଳ ଯାଇ ଜିଲ୍ଲା ପ୍ରଶାସନ ନିକଟରେ ପୂର୍ବରୁ ଏକ ଲିଖିତ ଅଭିଯୋଗ କରିଥିଲେ।

