ବୁଗୁଡ଼ା,୦୫।୧୦(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ବହୁ ପ୍ରତୀକ୍ଷିତ ନୂତନ କାଉନସିଲ ହଲ(ସଭାଗୃହ)ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନ୍ଏସି କାର୍ଯ୍ୟାଳୟ ପରିସରସ୍ଥ ଉକ୍ତ ନବ ନିର୍ମିତ ସଭାଗୃହକୁ ଉଦ୍ଘାଟନ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ସମେତ କେତେକ କାଉନସିଲର ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ରହିଥିଲେ। ଏ ଉପଲକ୍ଷେ ୪୦ ଜଣ ହିତାଧିକାରୀଙ୍କୁ ଭତ୍ତା, ୫୨ ଜଣଙ୍କୁ ଆବାସ କାର୍ଯ୍ୟାଦେଶ ଏବଂ ୫ ଜଣଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା।ଏଥି ସହ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବୁଗୁଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ‘ସ୍ୱଚ୍ଛତା ହିଁ ସେବା’ ବିଷୟରେ ଆୟୋଜିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଏନ୍ଏସି କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

