ଜବତବୁଗୁଡ଼ା,୨୩।୦୯(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଅଞ୍ଚଳରେ ସକ୍ରିୟ ଥିବା ଏକ ଛେଳି ଚୋରି ଗ୍ୟାଙ୍ଗକୁ ଠାବ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୪ଟି ଚୋରା ଛେଳି ଓ ଅପରାଧରେ ବ୍ୟବହୃତ ଡାଲା ଅଟୋକୁ ଜବତ କରିଛି। ବୁଗୁଡ଼ା ଅଞ୍ଚଳରେ ଛେଳି ଚୋର ବର୍ତ୍ତମାନ ସକ୍ରିୟ ରହିଥିବା ବେଳେ ଗତ କିଛିଦିନ ତଳେ ଭୋଗଡା ଗ୍ରାମର କୃଷ୍ଣଚନ୍ଦ୍ର ଗୌଡ଼ ଙ୍କ ୫୦ ଗୋଟି ଛେଳି ଏବଂ କରସିଙ୍ଗି ଗ୍ରାମର ପାଣ୍ଡଵ ଗୌଡ଼ ଙ୍କ ୩୩ ଟି ଛେଳି ଚୋରି ହୋଇଥିବା ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଥିଲା , ବୁଗୁଡ଼ା ଥାନା କେସ୍ ନଂ ୪୬୧/୨୦୨୬ ଆଧାରରେ ଭଞ୍ଜନଗର ଏସ୍ଡିପିଓ ଡକ୍ଟର ଦୀପକ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡ଼ା ପୋଲିସ ଏହି ଚୋର ଗ୍ୟାଙ୍ଗକୁ ଠାବକରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆସିକା ଥାନା କମାଗଡ଼ାର ପ୍ରକାଶ ପାତ୍ର (୫୦), ବୁଗୁଡ଼ା ଥାନା ନିମପଦର ଗ୍ରାମର ସୁଶାନ୍ତ ସାହୁ (୩୩) ଓ ଶିବରାମ ଘଡ଼େଇ (୩୦)।ଏହି ଚଢ଼ାଉରେ ବାଲିପଦର ଫାଣ୍ଡି ଓଆଇସି କେ. ନୀଳାଦ୍ରୀ ରେଡ୍ଡୀ, ସବଇନ୍ସପେକ୍ଟର ଜ୍ୟୋତିଶ୍ରୀ ସାହୁ, ଅଜୟ କୁମାର ମଲ୍ଲିକ ଓ ଏଏସ୍ଆଇ ସୁମନ୍ତ କୁମାର ବେହେରା ସମେତ ଥାନାର ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଉଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

