ବୁଗୁଡା:୦୪/୦୬,(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଲକରେ ଭୋଟର ସୂଚୀରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ୧୨୪-ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ବ୍ଲକର ୧୦୩ଟି ଏବଂ ଏନଏସିର ୨୦ଟି ହିସାବରେ ମୋଟ ୧୨୩ଟି ବୁଥରେ ବିଏଲଓ ମାନଙ୍କ ଦ୍ବାରା ଘରକୁ ଘର ବୁଲି ସର୍ଭେ , ପରିଗଣନା ଓ ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ପ୍ରଶାସନିକ ସୂଚନା ପ୍ରକାରେ , ଚଳିତ ବର୍ଷର ମେ’ ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟ ମଧ୍ୟରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଏବଂ ତ୍ରୁଟି ସଂଶୋଧନ ଭଳି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରାଯିବ। ଏ ପରିପ୍ରେକ୍ଷୀରେ ଗୋଲିଆ ଗ୍ରାମରେ ତହସିଲଦାର ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ସୁପରଭାଇଜର ସୁନିତା ପାଣିଗ୍ରାହୀ, ବିଏଲଓ ଲଳିତା ପରିଡା , ଅଙ୍ଗନଓ୍ବାଡି କର୍ମୀ ଗୋଲାପ ପ୍ରଧାନ, ସହାୟିକା କୁନି ସାହୁଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଥିବା ଏନ୍ଏସିରେ ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ସୁପରଭାଇଜର କିରଣ ବାଳା ତ୍ରିପାଠୀ, ବିଏଲଓ ସନ୍ଧ୍ୟାରାଣୀ ନାୟକ ଉପସ୍ଥିତିରେ ଆରମ୍ଭ ହୋଇଥିବା ଜଣାଯାଇଛି। ଗଣତନ୍ତ୍ରର ଏହି ସାମ୍ବିଧାନିକ ପ୍ରକ୍ରିୟାକୁ ସଫଳ କରିବା ପାଇଁ ସମସ୍ତ ଯୋଗ୍ୟ ମତଦାତା ସଚେତନ ହୋଇ ନିଜ ନିଜ ଅଞ୍ଚଳର ବିଏଲ୍ଓଙ୍କୁ ଆବଶ୍ୟକୀୟ ସୂଚନା ଓ ସଠିକ୍ ତଥ୍ୟ ପ୍ରଦାନ ପୂର୍ବକ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

