ଖଲ୍ଲିକୋଟ,୧୦/୦୬,(ବାପୁନି ମାଲୁ):ଖଲ୍ଲିକୋଟ ଥାନା ଅଞ୍ଚଳରେ ଚାଲିଥିବା ଏକ ବେଆଇନ ବାର୍ ଉପରେ ଚଢ଼ାଉ କରିଛି ପୋଲିସ। ୭୦ ଲିଟର ବିଦେଶୀ ମଦ ସହ ଫ୍ରିଜ, ଡିଫ୍ରିଜ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ତେବେ ମଦ ବେପାରୀ ଙ୍କୁ ଧରି ପାରିନି ପୁଲିସ। ଚଢ଼ାଉ ବେଳେ ସୁଯୋଗ ଦେଖି ସେଠାରୁ ଚମ୍ପଟ ମାରିଛନ୍ତି ମଦ ବେପାରୀ। ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁ ରୁ କେନ୍ଦୁପାଟ ଯିବା ରାସ୍ତା କଦଳୀବସନ୍ତ ଗାଁ ନିକଟରେ ଚାଲିଥିଲା ବେଆଇନ ମଦ କାରବାର । କୌଣସି ବୈଧ ଲାଇସେନ୍ସ ନଥାଇ ସେଠାରେ ଏକ ବେଆଇନ ବାର୍ ଚାଲୁଥିଲା। ସନ୍ଧ୍ୟା ରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଜମୁଥିଲା ମଦୁଆ ଙ୍କ ଭିଡ଼। ମଦ ସାଙ୍ଗକୁ ଚାଖଣା ମଧ୍ୟ ସେଠାରେ ମିଳୁଥିଲା।ଖବର ପାଇ ଖଲ୍ଲୀକୋଟ ଥାନା ଏସ୍.ଆଇ ଦୁଲୁ ମାଝୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗତକାଲି ରାତି ରେ ସେଠାରେ ହଠାତ୍ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରୁ ପ୍ରାୟ ୭୦ ଲିଟର ବିଦେଶୀ ମଦ ଓ ବିଅର୍ ଜବତ କରାଯାଇଛି । ଜବତ ମଦ ମଧ୍ୟରେ ଟୁବର୍ଗ ବିଏର, କାର୍ଲସବର୍ଗ ବିଏର, ବଡବେଜେର ବିଏର, ବାକାର୍ଡି ବ୍ଲାକ ରମ, ରୟାଲ ଷ୍ଟାଗ ହୁଇସକି, ଆଇକୋନିକ ହୁଇସକି ପ୍ରଭୃତି ବ୍ରାଣ୍ଡ ରହିଛି।ଏହା ସହିତ ମଦ ରଖିବା ପାଇଁ ବ୍ୟବହାର ହେଉଥିବା ଗୋଟିଏ ଫ୍ରିଜ୍ ଓ ଗୋଟିଏ ଡିଫ୍ରିଜ,ଷ୍ଟକ୍ ରେଜିଷ୍ଟର, ପ୍ଲାଷ୍ଟିକ୍ ଚେୟାର-ଟେବୁଲ୍, ଗ୍ୟାସ ଚୁଲା, ଦୁଇଟି ଗ୍ୟାସ ସିଲିଣ୍ଡର, ଚାଖଣା ଛଣା ହେବା ପାଇଁ ବ୍ୟବହୃତ କଡେଇ ଏବଂ ଟଙ୍କା କାରବାର ପାଇଁ ବ୍ୟବହୃତ ହେଉଥିବା ଏକ କ୍ୟୁ ଆର କୋର୍ଡ ମଧ୍ୟ ଜବତ କରିଛି ପୋଲିସ।ପୋଲିସକୁ ଦେଖି ବେଆଇନ ବାର୍ ଚଲାଉଥିବା ଦୁଇ ଅଭିଯୁକ୍ତ କାହ୍ନୁ ଚରଣ ଦଳେଇ ଏବଂ ଅମିତ ସ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏ ସମ୍ପର୍କ ରେ ଖଲ୍ଲୀକୋଟ ଥାନା କେସ୍ ନମ୍ବର ୪୬୨/୨୦୨୬ ରେ ଓଡ଼ିଶା ଅବକାରୀ ଆଇନ ର ଧାରା ୫୨(ଏ ) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ସୂଚନା ଦେଇଛନ୍ତି।ଖଲ୍ଲିକୋଟ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଆଇଆଇସି ରମେଶ କୁମାର ପ୍ରଧାନ ଉପସ୍ଥିତ ଥିଲେ।

