ବ୍ରହ୍ମପୁର,୨।୧୦(ହିମାଂଶୁ ଶେଖର ସାବତ):ଚିକିଟି ବ୍ଲକ ଅନ୍ତର୍ଗତ ପୀତତଳି ପଞ୍ଚାୟତର ବୈରୀବାଡ଼ ଗ୍ରାମରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଦଳୀୟ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗ୍ରାମର ବହୁ ସଂଖ୍ୟକ ଲୋକ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି l ଏହି ଯୋଗଦାନକୁ ନେଇ ସ୍ଥାନୀୟ ବିଜେପି ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ଭରସା ପ୍ରକାଶ କରି ଗ୍ରାମବାସୀମାନେ ବିଜେପିରେ ଯୋଗଦେବାର ନିଷ୍ପତ୍ତି ନେଇଛନ୍ତି। ଗ୍ରାମର ସମସ୍ତ ପରିବାର ବିଜେପିରେ ଯୋଗ ଦେଇଥିବା ବେଳେ ବିଜେଡିକୁ ଝଟକା ଲାଗିଛି l ଏହି ଅବସରରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ସାଂସଦଙ୍କ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା ଏବଂ ଯୁବ ନେତା ରେଣୁକେଶ୍ୱର ରାଓ ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ପ୍ରଦାନ କରି ବିଜେପି ପରିବାରକୁ ସ୍ୱାଗତ କରିଥିଲେ। ଯୋଗଦାନକାରୀମାନଙ୍କ ସହ ନେତୃବୃନ୍ଦ ଆଲୋଚନା କରି ସ୍ଥାନୀୟ ସମସ୍ୟା ଓ ବିକାଶ ସମ୍ପର୍କରେ ମତବିନିମୟ କରିଥିବା ଜଣାପଡ଼ିଛି।ଏହି ଅବସରରେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା କହିଛନ୍ତି, “ବୈରୀବାଡ଼ ଗ୍ରାମର ଲୋକମାନେ ଆମ ଉପରେ ଯେଉଁ ବିଶ୍ୱାସ ପ୍ରକାଶ କରିଛନ୍ତି, ସେଥିପାଇଁ ମୁଁ ହୃଦୟରୁ କୃତଜ୍ଞ। ଆଜି ଆମ ଦଳରେ ସାମିଲ ହୋଇଥିବା ଗ୍ରାମର ସମସ୍ତ ନେତୃବୃନ୍ଦ ଓ କର୍ମୀଙ୍କୁ ବିଜେପି ପରିବାରକୁ ସ୍ୱାଗତ ଜଣାଉଛି। ଆପଣମାନଙ୍କ ସୁଖଦୁଃଖରେ ମୁଁ ସର୍ବଦା ସାଥିରେ ଅଛି।” ସେ ଆହୁରି କହିଛନ୍ତି ଯେ, ବୈରୀବାଡ଼ ଗ୍ରାମର ସର୍ବାଙ୍ଗୀନ ବିକାଶ ସହ ସରକାରୀ ଯୋଜନାର ସୁବିଧା ଯେପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେ ଦିଗରେ ଗୁରୁତ୍ୱ ଦିଆଯିବ।ସୂଚନାଯୋଗ୍ୟ, ଚିକିଟି ଅଞ୍ଚଳରେ ବିଜେପିର ସାଂଗଠନିକ କାର୍ଯ୍ୟକଳାପ ବଢ଼ୁଥିବା ଦଳୀୟ ନେତାମାନେ କହିଛନ୍ତି। ପୀତତଳି ପଞ୍ଚାୟତ ଦୀର୍ଘଦିନ ଧରି ବିଜେଡିର ଶକ୍ତିଶାଳୀ ସାଂଗଠନିକ ଅଞ୍ଚଳ ଭାବେ ପରିଚିତ ଥିଲା l ବୈରୀବାଡ଼ର ଏହି ଯୋଗଦାନକୁ ପୀତତଳି ପଞ୍ଚାୟତରେ ବିଜେପିର ସାଂଗଠନିକ ବିସ୍ତାରର ଏକ ପଦକ୍ଷେପ ଭାବେ ଦଳୀୟ ନେତାମାନେ ଦେଖୁଛନ୍ତି।ସ୍ଥାନୀୟ ସ୍ତରରେ ନୂତନ ସଦସ୍ୟଙ୍କ ଯୋଗଦାନ ଆଗାମୀ ଦିନରେ ପଞ୍ଚାୟତ ଅଞ୍ଚଳର ରାଜନୈତିକ ସମୀକରଣ ଉପରେ ଏହା ନିଶ୍ଚିତ ପ୍ରଭାବ ପକାଇବ l

