ବ୍ରହ୍ମପୁର,୨୬/୪:(ହିମାଂଶୁ ଶେଖର ସାବତ):ଗ୍ରୀଷ୍ମ ତାପକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରେ ଜଳଛତ୍ର ସ୍ଥାପନ କରାଯାଇଥିବା ପଦକ୍ଷେପକୁ ସ୍ୱାଗତ କରାଯାଇଥିଲେ ମଧ୍ୟ, ବର୍ତ୍ତମାନ ତାହାର ବାସ୍ତବ ଚିତ୍ର ଚିନ୍ତାଜନକ ପରିସ୍ଥିତି ସାମ୍ନାକୁ ଆସିଛି ।ସ୍ଥାନୀୟ ସ୍ତର ଅଞ୍ଚଳରୁ ମିଳୁଥିବା ସୂଚନାନୁସାରେ, ଅନେକ ସ୍ଥାନରେ ଜଳଛତ୍ର ରହିଥିଲେ ମଧ୍ୟ ସୁପେୟ ଜଳ ଉପଲବ୍ଧ ନାହିଁ। ଆଉ କେତେକ ସ୍ଥାନରେ ଜଳ ଥିଲେ ମଧ୍ୟ ଏହାର ଦେଖରେଖ ପାଇଁ କୌଣସି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ନିଯୁକ୍ତ ନଥିବାରୁ ବ୍ୟବସ୍ଥା ପ୍ରଭାବିତ ହେଉଛି।ବିଶେଷକରି ୱାର୍ଡ ନମ୍ବର–୧୬ ବୃନ୍ଦାବତୀ ନଗରର ବାସିନ୍ଦା ନୀଳ ଲୋହିତ ସାହୁଙ୍କ ଅଭିଯୋଗ ଅନୁଯାୟୀ, ଏଠାରେ ଜଳଛତ୍ର ପାଇଁ କେବଳ ଟେଣ୍ଟ ଓ ବୋର୍ଡ ଲଗାଇ ଫଟୋ ଉଠାଯାଇଥିଲା, ପରେ ସେଗୁଡିକୁ ହଟାଇ ଦିଆଯାଇଛି। ଏହି ଘଟଣା ଗୁରୁତର ଅବ୍ୟବସ୍ଥାକୁ ପ୍ରକାଶ କରୁଛି।ଏହା କେବଳ ସେବାର ଅଭାବକୁ ନୁହେଁ, ବରଂ ଜନସାଧାରଣଙ୍କ ଟଙ୍କାର ସଠିକ୍ ବ୍ୟବହାର ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି। ତିବ୍ର ଗରମରେ ଲୋକମାନେ ପାଣି ପାଇଁ ଏହି ବ୍ୟବସ୍ଥା ଉପରେ ନିର୍ଭର କରୁଥିବା ସମୟରେ ଏପରି ଅବ୍ୟବସ୍ଥା ଦୁଃଖଦ ଓ ଅମାନୁଷିକ କାର୍ଯ୍ୟ ବୋଲି ମତ ପ୍ରକାଶ ପାଉଛି।ନଗର ନିଗମ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକଙ୍କ ନିବେଦନ, କେବଳ ଯୋଜନା ଘୋଷଣାରେ ସୀମିତ ନରହି, ତାହାର ସଠିକ୍ କାର୍ଯ୍ୟରେ ଉପଯୋଗ ହେଉ । ପ୍ରତ୍ୟେକ ଜଳଛତ୍ରରେ ନିୟମିତ ଭାବରେ ସୁପେୟ ଜଳ ଉପଲବ୍ଧ ହେବା ସହିତ ଦେଖରେଖ ପାଇଁ ଦୃଢ଼ ପଦକ୍ଷେପ ନିଆଯିବା ଆବଶ୍ୟକ।ଶେଷରେ ପ୍ରଶ୍ନ ଉଠୁଛି—ଏହି ଯୋଜନା ସତରେ ଜନହିତ ପାଇଁ କାମ କରୁଛି କି, ନା କେବଳ ଦେଖାଦେଖି ପର୍ଯ୍ୟନ୍ତ ସୀମିତ ରହିଛି?

