ଗଞ୍ଜାମ/ଭଞ୍ଜନଗର,୨୫।୮(ଡ.କୁମୁଦ ଚନ୍ଦ୍ର ବେହେରା):ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଗଢ଼ା ଯାଇଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଦିନକୁ ଦିନ କଳେବର ବୃଦ୍ଧି କରି ଚାଲିଛି । ଅଧିକରୁ ଅଧିକ ଚାଷୀଙ୍କୁ ସାହାଯ୍ୟ କରିବାକୁ બ્ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଚାଲିଛନ୍ତି ଓୟୁଏଟି କର୍ତ୍ତୃପକ୍ଷ । ଆଉ ସେଥିରେ ମୋହର ମାରୁଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଏବେ ଏଥିରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛନ୍ତି ଓୟୁଏଟି କର୍ତ୍ତୃପକ୍ଷ । ଓୟୁଏଟି ରାଜ୍ୟର ୪ଟି ସ୍ଥାନରେ ଖୋଲିବ ନୂଆ କଲେଜ । ସେଥିମଧ୍ୟରୁ ୨ଟି କୃଷି ମହାବିଦ୍ୟାଳୟ, ଗୋଟିଏ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଓ ଗୋଟିଏ ମତ୍ସ୍ୟ ମହାବିଦ୍ୟାଳୟ ରହିଛି । ହେଲେ କୃଷି ପ୍ରଧାନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ଓୟୁଏଟିର ମହାବିଦ୍ୟାଳୟ ସ୍ଥାପନ ବେଳକୁ ସରକାର ପଛଘୁଞ୍ଚା ଦେଉଛନ୍ତି । ବହୁବାର ଦାବି ସତ୍ତ୍ୱେ ରାଜ୍ୟ ସରକାର ଏଠାରେ ଓୟୁଏଟି ମହାବିଦ୍ୟାଳୟ ସ୍ଥାପନ ପାଇଁ କୌଣସି ଆଗ୍ରହ ଦେଖାଉ ନଥିବାରୁ ଭଞ୍ଜନଗରବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।ସୂଚନାନୁସାରେ, ଚଳିତବର୍ଷ ମୟୂରଭଞ୍ଜରେ କୃଷି ମହାବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ଚିପିଲିମାରେ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ, ସୋନପୁରରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ସହିତ ବଲାଙ୍ଗୀରରେ ମଧ୍ୟ ଗୋଟିଏ ନୂଆ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହି ସମସ୍ତ ୪ଟି ଯାକ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବା ସହିତ ଅଗ୍ରୀମ ଅର୍ଥ ଦେଇ ସାରିଛନ୍ତି। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଚଳିତବର୍ଷ ଜୁଲାଇ ୨୨ ତାରିଖରେ ଅନୁମୋଦନ ମିଳିଥିବାବେଳେ ଓଏସ୍ୟୁଏଟିର ପରିଚାଳନା ବୋର୍ଡ (ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ)ରେ ଫେବ୍ରୁଆରୀ ୨୧ରୁ ଏ ନେଇ ନିଷ୍ପତ୍ତି ସରିଛି। ଗତ ଜୁଲାଇ ୩୧ରେ ଏ ନେଇ ଏକାଡେମିକ କାଉନ୍ସିଲରେ ସଂକଳ୍ପ ପାରିତ ହୋଇଥିବାବେଳେ ଅଗଷ୍ଟ ୫ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ହେଲେ ଚାଷରେ ଆଗୁଆ ଥିବା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ଓଏସ୍ୟୁଏଟିର ମହାବିଦ୍ୟାଳୟ ଖୋଲିବା ବେଳକୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଧାନ ଉତ୍ପାଦନରେ ଆଗୁଆ ରହିଛି। ଏହା ସହ ଏଠାରେ ନଦୀ, ନାଳ ଓ ଜଳଭଣ୍ଡାର ରହିଥିବାରୁ ବର୍ଷସାରା ତାଷୀ ଚାଷ କାମରେ ନିୟୋଜିତ ହୋଇଥାଏ। ସେହିପରି ଉନ୍ନତମାନର ଘୁମୁସରୀ ଗାଈ ବଂଶବୃଦ୍ଧି, ବାଛୁରୀ ଜନ୍ମ କରାଇବା ଏବଂ ଷଣ୍ଢ ସଂଗ୍ରହ ପାଇଁ ଭଞ୍ଜନଗରରେ ୧୯୫୦ ମସିହାରେ ଏକମାତ୍ର ଗୋ-ପ୍ରଜନନ ଓ ବୃଷଭ ଜନନୀ ଫାର୍ମ ନିର୍ମାଣ କରାଯାଇଛି। କୃତ୍ରିମ ପ୍ରଜନନ ମାଧ୍ୟମରେ ଦେଶୀ ପ୍ରଜାତିର ଗାଈଙ୍କଠୁ ବାଛୁରୀ ପ୍ରସ୍ତୁତ କରିବା ଏବଂ କଟକସ୍ଥିତ ଫ୍ରୋଜେନ୍ ସିମେନ୍ ବ୍ୟାଙ୍କ୍ ପାଇଁ ଏଠାରୁ ଷଣ୍ଢ ସଂଗ୍ରହ ହେଉଛି।ଏହାସହ ଏଠାରେ ପ୍ରାଣୀସମ୍ପଦ ସୁରକ୍ଷା ଓ ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଉନ୍ନତମାନର ତାଲିମ୍ ପ୍ରଦାନ ପାଇଁ ପ୍ରଶିକ୍ଷଣ ଓ ସମ୍ପ୍ରସାରଣ ତାଲିମ୍ କେନ୍ଦ୍ର ରହିଛି।ଭଞ୍ଜନଗରରେ ଥିବା ଏହି କେନ୍ଦ୍ର ହେଉଛି ପୁରାତନ ଓ ରାଜ୍ୟ ପ୍ରଥମ। ୧୯୭୯ ମସିହାରେ ସହର ଉପକଣ୍ଠ ଲଣ୍ଡେଇ ସାହି ନିକଟରେ ଏହି କେନ୍ଦ୍ର ପ୍ରତିଷ୍ଠିତ ହୋଇଥିବାବେଳେ ପ୍ରାୟ ୧୫୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏଠାରେ ବ୍ୟବସ୍ଥା ହୋଇଛି। ସେହିପରି ମାଛ ଚାଷକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କୁ ସାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ୧୯୮୪ ମସିହାରୁ ଭଞ୍ଜନଗର ଘାଇ ନିକଟସ୍ଥ ୨୫ ହେକ୍ଟର ଜମିରେ ଆରମ୍ଭ ହୋଇଛି ମତ୍ସ୍ୟ ଜାଆଁଳ ଉତ୍ପାଦନ ପ୍ରକଳ୍ପ। ଏଠାରୁ ଜାଆଁଳ ଉତ୍ପାଦନ କରାଯାଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯାଉଛି।ସେହିଭଳି ଏଠାରେ କୃଷି ବିଜ୍ଞାନ କେନ୍ଦ୍ର ସମେତ ଜିଲ୍ଲାର ଏକମାତ୍ର କୁକୁଡ଼ା ପାଳନ କେନ୍ଦ୍ର ରହିଛି। ଏହାସହ ଏଠାରେ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ, ଉପଖଣ୍ଡସ୍ତରୀୟ କୃଷି, ଉଦ୍ୟାନ କୃଷି, ପଶୁ ସମ୍ପଦ ବିଭାଗର କାର୍ଯ୍ୟାଳୟ ରହିଛି। ସେହିଭଳି ଚାଷ ସହିତ ଜଡ଼ିତ ସରକାରଙ୍କ ଜଳସେଚନ, ଉଠାଜଳସେଚନ, କ୍ଷୁଦ୍ର ଜଳସେଚନ ଭଳି ଅନେକ ବିଭାଗର କାର୍ଯ୍ୟାଳୟ ଏଠାରେ ରହିଛି। ବର୍ଷର ଅଧିକାଂଶ ସମୟରେ ଓୟୁଏଟିର ଅନେକ ଛାତ୍ରଛାତ୍ରୀ ଏଠାକୁ ତାଲିମ ପାଇଁ ଆସୁଥିବାବେଳେ ଏହା କୃଷିର ପ୍ରୟୋଗଶାଳା ସାଜିଛି। ହେଲେ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ବହୁବାର ଦାବି ସତ୍ତ୍ୱେ ଏଠାରେ ଓୟୁଏଟିର କୌଣସି ବି ଗୋଟିଏ ହେଲେ କଲେଜ ସ୍ଥାପନ ହୋଇପାରି ନାହିଁ। ସରକାର ଭଞ୍ଜନଗରରେ ଏଗ୍ରି ପଲିଟେକ୍ନିକ୍ କିମ୍ବା ମହାବିଦ୍ୟାଳୟ ସ୍ଥାପନ କଲେ କୃଷି କ୍ଷେତ୍ରରେ ଉନ୍ନତମାନର ଜ୍ଞାନକୌଶଳ ଓ ଗବେଷଣା ଦକ୍ଷତାର ବିକାଶକୁ ତ୍ୱରାନ୍ୱିତ କରିବ। ତେଣୁ ରାଜ୍ୟ ସରକାର ଭଞ୍ଜନଗରରେ ଶୀଘ୍ର ଓୟୁଏଟିର ମହାବିଦ୍ୟାଳୟ ସ୍ଥାପନ ନିମନ୍ତେ ପଦକ୍ଷେପ ନେବାକୁ ଭଞ୍ଜନଗରବାସୀ ଦାବି କରିଛନ୍ତି।

