ଭଞ୍ଜନଗର,୯/୫,(ନିଲୁ ବିଷୋୟୀ): ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ରାଜ୍ୟର ସମସ୍ତ ଥାନାରେ ସଚେତନତା କାର୍ଯ୍ୟକ୍ରମ ‘ଜୁଭେଣ୍ଟିକା’ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭିସି ଯୋଗେ ଏହାକୁ ଅପରାହ୍ଣ ୪ଟା ବେଳେ ଉଦ୍ଘାଟନ କରିଥିବା ବେଳେ ଗଞ୍ଜାମ ପୁଲିସ ଜିଲ୍ଲାର ସମସ୍ତ ଥାନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭଞ୍ଜନଗର ଥାନାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଏସ୍.ପି ଶୁଭେନ୍ଦୁ କୁମାର ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସାଇବର୍ ସଚେତନତା ଉପରେ ଆଲୋକପାତ କରିଥିଲେ। ନିଜର ସମସ୍ୟା ବିଷୟରେ ଖୋଲାଖୋଲି ପ୍ରକାଶ ପାଇଁ ଯୁବପିଢ଼ି ସଂକୋଚ କରୁଥିବା ବେଳେ ଭବିଷ୍ୟତରେ ତାହା ବଡ଼ଧରଣର ଅପରାଧର ରୂପ ନେଉଛି। ଭୟ ନକରି ଯୁବପିଢ଼ି ନିଜ ସମସ୍ୟା ବିଷୟରେ ପୁଲିସକୁ ଜଣାନ୍ତୁ ବୋଲି ଏସ୍ପି ଶ୍ରୀ ପାତ୍ର କହିଛନ୍ତି। କାର୍ଯ୍ୟକ୍ରମରେ କିଶୋର କିଶୋରୀଙ୍କ ସମେତ ବହୁ ମହିଳା ଓ ଅଙ୍ଗନବାଡ଼ି କର୍ମୀ ଅଂଶଗ୍ରହଣ କରିଥିଲେ। ପୁଲିସର ଦୈନନ୍ଦିନ କାର୍ଯ୍ୟଶୈଳୀ ଉପରେ ଆଲୋଚନା କରାଯିବା ସହ ପୁଲିସ ସର୍ବଦା ଲୋକଙ୍କ ସେବାରେ ରହିଛି ବୋଲି କୁହାଯାଇଥିଲା। ସାଇବର୍ ଠକେଇ ଠାରୁ କିପରି ଦୂରେଇ ରହିବା, ପୁଲିସକୁ ଭୟ ନକରି ଯେକୌଣସି ଅସୁବିଧା ହେବା ମାତ୍ରକେ ଖବର ଦେବା ଓ ସହଯୋଗ କରିବା, ନିଜ ଫଟୋକୁ ମୋବାଇଲ୍ରେ ଅପଲୋଡ୍ ନ କରିବା ଓ ପ୍ରୋଫାଇଲ୍କୁ ଗୋପନୀୟ ରଖିବା, ମୋବାଇଲ୍ରୁ ଭଲ ଶିକ୍ଷା ଗ୍ରହଣ କରିବା ଆଦି ଉପରେ ସଚେତନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ପିଲାମାନେ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଥାନା ପରିସର ବୁଲି ଥାନାର କାର୍ଯ୍ୟଶୈଳୀ ସଂପର୍କରେ ପଚାରି ବୁଝିଥିଲେ। ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ, ଥାନାଧିକାରୀ ଜୀବନାନନ୍ଦ ଜେନା, ଏସ୍ଆଇ ସମୀର କୁମାର ସେଠୀ, ଜ୍ୟୋତ୍ସ୍ନାମୟୀ ସାହୁ, ଲକ୍ଷ୍ମୀଧର ମହାନ୍ତି, ସତ୍ୟନାରାୟଣ ମଲ୍ଲିକ, ବିଦେଶୀ ବେହେରା ଓ ରୁଦ୍ରପ୍ରସାଦ କହଁର ପ୍ରମୁଖ ଉପସ୍ଥିତ ଥିଲେ।

